ଆସିଲା ୮ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଯାଜପୁରର ୬, ସୁନ୍ଦରଗଡର ୨ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ଯାଜପୁରର ୬ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିରେ କୋଲକାତା ଲିଙ୍କ୍

813

କନକ ବ୍ୟୁରୋ: ଆସିଲା ୮ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଯାଜପୁରର ୬ ଓ ସୁନ୍ଦରଗଡର ୨ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ତେବେ ଗତକାଲି ରାତି ଚିହ୍ନଟ ହୋଇଥିବା ନୂଆ ୬ ଆକ୍ରାନ୍ତଙ୍କ ସହ ସୁନ୍ଦରଗଡର ନୂଆ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ହସ୍ତଗତ ହୋଇଛି ।

ତେବେ ସବୁଠାରୁ ବଡ କଥା ହେଉଛି ୮ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣଙ୍କ ଗସ୍ତ ବିବରଣୀରେ କୋଲକାତା ଲିଙ୍କ ରହିଛି । ଅର୍ଥାତ ଯାଜପୁର ଜିଲ୍ଲାର ୬ ଆକ୍ରାନ୍ତ କୋଲକାତା ଫେରନ୍ତା । ସେହିପରି ସୁନ୍ଦରଗଡର ୨ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଥିବା ବେଳେ ଅନ୍ୟଜଣେ ମହିଳା ଅଛନ୍ତି । ଆଉ ଦୁଇ ଜଣ ଯାକ ୬୯ ନମ୍ବର ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ।

ନଜର ପକାନ୍ତୁ କୋଲକାତାରୁ ଯାଜପୁରକୁ ଫେରିଥିବା ୬ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଉପରେ । ୯୫ ନମ୍ବର ଆକ୍ରାନ୍ତ ୨୩ ବର୍ଷର ଯୁବକ ହୋଇଥିବା ବେଳେ ସେ ୨୯ ମାର୍ଚ୍ଚରେ ବୋଲେରୋ ଯୋଗେ ୬ ଜଣଙ୍କ ସହ ନିଜ ଗାଁ କଟିକଟା ଫେରିଥିଲେ । ସେହିପରି ୯୬, ୯୭, ୯୮ ନମ୍ବର ଆକ୍ରାନ୍ତ ବି ଦଶରଥପୁର ବ୍ଲକ କଟିକଟା ଗାଁର । ସେମାନେ ସେହି ୨୯ ତାରିଖରେ କୋଲକାତାରୁ ଫେରିଥିଲେ ।

ଅନ୍ୟପଟେ ୯୯ ଏବଂ ୧୦୦ ନମ୍ବର ଆକ୍ରାନ୍ତ ଦଶରଥପୁର ବ୍ଲକର । ୯୯ ନମ୍ବର ଆକ୍ରାନ୍ତଙ୍କ ଘର ମହାନ୍ତି ପାଟଣା ହୋଇଥିବା ବେଳେ ସେ ୨୯ ମାର୍ଚ୍ଚରେ ୮ ଜଣ ଯାକ୍ରୀଙ୍କ ସହ ଏକ ବୋଲେରୋ ଭଡା କରି ଗାଁରେ ପହଞ୍ଚିଥିଲେ । ସେହିପରି ୧୦୦ ନମ୍ବର ଆକ୍ରାନ୍ତ ବିରାଜପୁର ଗାଁର ହୋଇଥିବା ବେଳେ ସେ ଏକ ମିନି ଟ୍ରକରେ ୨୦ ଜଣ ଯାତ୍ରୀଙ୍କ ସହ ଯାଜପୁର ସହରରେ ପହଞ୍ଚିଥିଲେ ଆଉ ପରେ ନିଜ ପୁଅ ସହ ବାଇକରେ ଯାଇ ଘରେ ସଙ୍ଗରୋଧରେ ରହିଥିଲେ ।