ଓଡ଼ିଶାରେ ‘କରୋନା’ ସତର୍କତା: ଚୀନରୁ ଭାରତକୁ ଡେଇଁଥିବା ‘କରୋନା’ ଭାଇରସ୍ ନେଇ ଓଡ଼ିଶାରେ କୋକୁଆ ଭୟ । ରାଜ୍ୟ ସରକାର ଜାରିକଲେ ଟୋଲ୍ ଫ୍ରି-ନମ୍ବର, ସଂକ୍ରମଣ ସୂଚନା ପାଇଲେ ସୂଚନା ଦେବାକୁ ଅନୁରୋଧ ।

1,104

କନକ ବ୍ୟୁରୋ: କରୋନା ଭାଇରସ୍ ନେଇ ସତର୍କ ରାଜ୍ୟ ସରକାର । ଜାରି କଲେ ଟୋଲ ଫ୍ରି ନମ୍ବର । କରୋନା ଭୂତାଣୁ ସଂକ୍ରମଣ ଜନିତ ସୂଚନା ପାଇଲେ ଟୋଲ ଫ୍ରି ନମ୍ବର -୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ଏପରିକି ବିଭିନ୍ନ ରାଜ୍ୟରେ ଏହି ଭାଇରସ୍ ଆତଙ୍କ ଖେଳାଇଥିବା ବେଳେ, ଗତକାଲି ଏନେଇ ଆଡଭାଇଜରି ଜାରି କରିଥିଲେ ଓଡିଶା ସରକାର । କୋରୋନା ଭାଇରସକୁ ନେଇ ଯେପରି ରାଜ୍ୟରେ କେହି ସଂକ୍ରମିତ ନହୁଅନ୍ତି, ସେନେଇ ସତର୍କ ରହିବାକୁ ବିମାନ ବନ୍ଦର, ରେଳବାଇ କର୍ତୃପକ୍ଷ ଏବଂ ପାରାଦୀପ ବନ୍ଦରକୁ ନିର୍ଦ୍ଦେଶ ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଏହି ମାରାତ୍ମକ ଭାଇସରର ମୁକାବିଲା ପାଇଁ ଉପଯୁକ୍ତ ପରିମାଣରେ ଔଷଧ, ଏବଂ ଲୋକମାନଙ୍କୁ କିଭଳି ସଚେତନ କରାଯିବ ସେନେଇ ଆଡଭାଇଜରିରେ କୁହାଯାଉଛି । ବିଶେଷ କରି କେରଳ, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ଏହି କୋରୋନା ଭାଇରସ ବ୍ୟାପିଥିବାର ଖବର ପରେ, କୋରୋନା କବଳରେ ଯେଭଳି ଓଡିଶା ନଆସୁ, ସେନେଇ ସଜାଗ ରହିଛନ୍ତି ରାଜ୍ୟ ସରକାର ।

ସେପଟେ ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ସଂକ୍ରମଣରେ ବର୍ତମାନ ସୁଦ୍ଧା ୫୬ଜଣ ଲୋକଙ୍କ ପ୍ରାଣହାନୀ ହୋଇଛି । ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଥିବା ଜଣାଡ଼ିଛି । ଚୀନ ବ୍ୟତିତ ଫ୍ରାନ୍ସ, ଅଷ୍ଟ୍ରେଲିଆ, ଥାଇଲାଣ୍ଡ, ଜାପନ, ଦକ୍ଷୀଣ କୋରିଆ, ଆମେରିକା, ଭିଏତନାମ, ସିଂଗାପୁର, ହଙ୍ଗକଙ୍ଗ, ନେପାଳ, ମକାଉ, ଏବଂ ତାଇୱାନରେ ଏହି ଭାଇରସର ପ୍ରବେଶ କରିସାରିଛି ।

ଚୀନରେ ଏହି ଭାଇରସ ସଂକ୍ରମଣ କ୍ଷିପ୍ର ବେଗରେ ମାଡୁଥିବାରୁ ଦୁଇଟି ସ୍ୱତନ୍ତ୍ର ହସ୍ପିଟାଲ ନିର୍ମାଣ ପାଇଁ ଘୋଷଣା କରାଯାଇଛି । ଚୀନର ବୁହାନ ସରକାର ୧୫ଦିନ ଭିତରେ ୧୩ଶହ ଶଯ୍ୟା ବିଶିଷ୍ଠ ହସ୍ପିଟାଲ ନିର୍ମାଣ ପାଇଁ ଘୋଷଣା କରିଛନ୍ତି । ସେପଟେ ଭାଇରସକୁ ନେଇ ସତର୍କ ଭାରତ ସରକାର । ବେଜିଂରେ ଥିବା ଭାରତୀୟ ଦୁତାବସକୁ ଟୁଇଟ କରିବା ସହ ସେଠାରେ ଥିବା ଭାରତୀୟମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ।