ପୁଣି ପେଣ୍ଡାଲ ଉପରେ ଶୁଭିବ ଡାଏଲଗ, ଝୁମିବେ ଦର୍ଶକ । ଯାତ୍ରା, ଅପେରା, ଡ୍ରାମା, ମେଲୋଡିକୁ ଅନୁମତି ଦେଲେ ରାଜ୍ୟ ସରକାର

299

କନକ ବ୍ୟୁରୋ: ପୁଣି ପେଣ୍ଡାଲରେ ଶୁଭିବ ଡାଏଲଗ, ମଞ୍ଚ ଉପରେ ଅଭିନୟ କରିବେ ଯାତ୍ରା କଳାକାର । ରାଜ୍ୟରେ ସଂକ୍ରମଣ କମିବା ପରେ ଯାତ୍ରାଠୁ ଆରମ୍ଭ କରି ଅପେରା, ଡ୍ରାମା ଓ ମେଲୋଡିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଖାଲି ସେତିକି ନୁହେଁ ତା ସହିତ ଶାସ୍ତ୍ରୀୟ ନୃତ୍ୟ, ସାଂସ୍କୃତିକ ପ୍ରତିଯୋଗିତାକୁ ମଧ୍ୟ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏବେ ଏହି ସବୁ କାର୍ଯ୍ୟକ୍ରମ କୋଭିଡ୍ ନିୟମ ପାଳନ କରି ହୋଇପାରିବ ।

ତେବେ ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ କିଛି ଗାଇଡଲାଇନ୍ ଧାର୍ଯ୍ୟ କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ, ଏହି ସବୁ କାର୍ଯ୍ୟକ୍ରମରେ କେବଳ ୨ ହଜାର ଲୋକ ଅଂଶଗ୍ରହଣ କରିପାରିବେ । ତା ସହିତ ଆବଦ୍ଧ କୋଠରୀ ଭିତରେ କେବଳ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ମେଲୋଡି, ଯାତ୍ରା, ଅପେରା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ । ପ୍ରତ୍ୟେକ ଦର୍ଶକ ନିଜ ନିଜ ଭିତରେ ସାମାଜିକ ଦୂରତା ରକ୍ଷା କରିବେ । ସିଟ୍ ଗୁଡିକ ଭିତରେ ଅତି କମରେ ୬ ଫୁଟର ଦୂରତା ରହିବ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି ।

ତେବେ ଯାତ୍ରା, ଅପେରା ଦେଖିବାକୁ ହେଲେ ଦର୍ଶକଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ । ନଚେତ୍ ୭୨ ଘଣ୍ଟା ଭିତରେ ଦର୍ଶକଙ୍କୁ କୋଭିଡ୍ ନେଗେଟିଭ ଆରଟିିପିସିଆର୍ ରିପୋର୍ଟ ଦେଖାଇବାକୁ ପଡିବ । ଏହି ସବୁ କାର୍ଯ୍ୟକ୍ରମରେ ୬୫ ବର୍ଷରୁ ଅଧିକ ବୟସର ଲୋକ , ଅସୁସ୍ଥ ଲୋକ ଓ ଗର୍ଭବତୀ ମହିଳାଙ୍କୁ ଯୋଗ ଦେବାକୁ ବାରଣ କରାଯାଇଛି । ଅନ୍ୟପଟେ ମେଲୋଡି, ଯାତ୍ରା ଆଦି କାର୍ଯ୍ୟକ୍ରମରେ ଗୁଟୁଖା ଖାଇବାକୁ ମଧ୍ୟ ମନା କରାଯାଇଛି ।

ସୂଚନାଯୋଗ୍ୟ ଯେ, କୋଭିଡ୍ କାରଣରୁ ଦୀର୍ଘ ଦିନ ହେଲା ରାଜ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇ ରହିଥିଲା । ଏହି କାରଣରୁ ଯାତ୍ରା କଳାକାର ମଧ୍ୟ ରାସ୍ତାକୁ ଓହ୍ଲାଇଥିଲେ । ସରକାର କଳାକାରଙ୍କ ଦୁଃଖ ବୁଝିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦେବାକୁ ସେମାନେ ଦାବି କରିଥିଲେ । ଏହାପରେ ରାଜ୍ୟ ସରକାର ଏହି ସବୁ ଦିଗକୁ ଦୃଷ୍ଟି ଦେବା ସହିତ ପୁଣି ଯାତ୍ରା, ଅପେରା, ମେଲୋଡି କାର୍ଯ୍ୟକ୍ରମକୁ ଅନୁମତି ଦେଇଛନ୍ତି ।