ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଓଡ଼ିଶାର ନୂଆ ରାଜ୍ୟପାଳ, ଶ୍ରୀଜିଉଙ୍କ ଦର୍ଶନ କରି ନପାରି ରାଜଭବନ ଫେରିଲେ ।

30

କନକ ବ୍ୟୁରୋ: ଅଳ୍ପକେ ବର୍ତ୍ତିଲେ ଓଡ଼ିଶାର ନୂଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଥିଲେ ମଧ୍ୟ ତାଙ୍କ ଗୋଡରେ ଆଘାତ ଲାଗିଥିବା ଜଣାପଡ଼ିଛି। ଫଳରେ ରାଜ୍ୟପାଳ ଶ୍ରୀଜିଉଙ୍କୁ ଦର୍ଶନ କରିନପାରି ଭୁବନେଶ୍ୱର ଫେରି ଯାଇଥିବା ଚର୍ଚ୍ଚା ହେଉଛି। ରାଜ୍ୟପାଳ ଏସସି ଜମିରଙ୍କ କାର୍ୟ୍ୟକାଳ ଶେଷ ହେବା ପରେ ବିହାର ରାଜ୍ୟପାଳ ଶ୍ରୀ ମଲ୍ଲିକ ଓଡ଼ିଶା ରାଜ୍ୟପାଳ ରୂପେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହି ନୂତନ ଦାୟିତ୍ୱ ଗ୍ରହଣ ପରେ ରାଜ୍ୟପାଳ ଶ୍ରୀ ମଲ୍ଲିକ ଆଜି ପ୍ରଥମ ଥର ପାଇଁ ପୁରୀ ଗସ୍ତରେ ଆସିଥିଲେ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ଲାଗି କାର୍ୟ୍ୟକ୍ରମ ରହିଥିଲା। ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଅନ୍ୟ ସରକାରୀ ପଦାଧିକାରୀମାନେ ତାଙ୍କୁ ସ୍ୱାଗତ କରିବା ପାଇଁ ରାଜଭବନଠାରେ ଛିଡ଼ା ହୋଇ ରହିଥିଲେ। ପୂର୍ବାହ୍ନରେ କଡ଼ା ସୁରକ୍ଷା ବଳୟରେ ଆସି ରାଜ୍ୟପାଳ ରାଜଭବନରେ ପହଞ୍ଚି କାରରୁ ତଳକୁ ଓହ୍ଲାଇବାକୁ ଯାଉଥିଲା ବେଳେ ହଠାତ୍ ଘଟିଥିଲା ଅଘଟଣ। ସେ ବାମଗୋଡ଼ କାଢ଼ି ଡାହାଣ ଗୋଡ଼ କାଢ଼ିବାକୁ ଯିବା ସମୟରେ ହଠାତ୍ କାରଟି ପଛକୁ ଗଡ଼ିଯାଇଥିଲା। ରାଜ୍ୟପାଳ କାର୍ ଦରଜା ଧକ୍କାରେ ତଳକୁ ପଡ଼ିଯାଉଥିଲା ବେଳେ ପାଖରେ ଥିବା ଜିଲ୍ଲାପାଳ ତୁରନ୍ତ ତାଙ୍କୁ ଭିଡ଼ି ଧରିନେଇଥିଲେ। ଫଳରେ ସେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତି ଯାଇଥିଲେ।

ଏହି ଦୁର୍ଘଟଣାରେ ରାଜ୍ୟପାଳଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିବା କୁହାଯାଉଛି। ଗାଡ଼ିର ବ୍ୟାକ୍ ଗିୟର ପଡ଼ିଯିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣା ପରେ ରାଜ୍ୟପାଳ ଆଉ ଶ୍ରୀମନ୍ଦିରକୁ ନଯାଇ ରାଜଭବନରେ କିଛି ସମୟ ବିଶ୍ରାମ ନେଇ ଭୁବନେଶ୍ୱର ଫେରି ଯାଇଥିବା ଜଣାପଡ଼ିଛି।