ଟିକାକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ । ଭ୍ୟାକସିନ ଯୋଗାଣରେ ପାତର ଅନ୍ତର ଅଭିଯୋଗ ପରେ କେନ୍ଦ୍ରର ଜବାବ ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

117

କନକ ବ୍ୟୁରୋ: ଟିକାଯୋଗାଣକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ସଚିବ କହିଥିଲେ, ଟିକା ଯୋଗାଣରେ ରାଜ୍ୟ ରାଜ୍ୟ ଭିତରେ ପାତର ଅନ୍ତର କରାନଯାଉ । ରାଜ୍ୟକୁ ଯଥେଷ୍ଟ ପରିମାଣରେ ଟିକା ଦିଆଯାଉ, ଫଳରେ ରାଜ୍ୟ ସରକାର ଆଗୁଆ ୧୫ ଦିନ ପାଇଁ ଯୋଜନା କରିବେ ।

ଏହାର ଜବାବରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଷ ଭୂଷଣ, ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ତଥ୍ୟ ସହ ଚିଠି ଲେଖି ଏହି ପାତର ଅନ୍ତର ଅଭିଯୋଗକୁ ଖଣ୍ଡନ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟକୁ ୩୪ ଲକ୍ଷ ୪୬ ହଜାର ୭୬୦ ଡୋଜ୍ ଟିକା ଦିଆଯାଇଛି । ଏହାମଧ୍ୟରୁ ୨୧ ଲକ୍ଷ ୬୭ ହଜାର ୯୫୬ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ଦିଆସରିଛି । ଏହାର ଅର୍ଥ ରାଜ୍ୟ ସରକାର ୨୨ ଲକ୍ଷ ୯୭ ହଜାର ୪୩୧ ଡୋଜ୍ ଟିକା ବ୍ୟବହାର କରିଛନ୍ତି ଏବଂ ସ୍ୱାସ୍ଥ୍ୟ ବିଭାଗ ପାଖରେ ୧୧ ଲକ୍ଷ ୪୯ ହଜାର ୩୨୯ ଡୋଜ୍ ଟିକା ରହିବା କଥା ।

ପ୍ରତିଦିନ ସମସ୍ତ ରାଜ୍ୟରେ ଟିକାର ସ୍ଥିତି ନେଇ ସମୀକ୍ଷା କରାଯାଉଛି । ଗତ ୩ ଦିନରେ ଓଡିଶାରେ ୨ ଲକ୍ଷ ୭ ହଜାର ୨୨୯ ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି । ଏହାର ଅର୍ଥ ଦୈନିକ ପ୍ରାୟ ୬୯ ହଜାର ୭୬ ଜଣଙ୍କୁ ଟିକା ଦିଆଯାଉଛି । ଟିକା ସ୍ଥିତିର ସମୀକ୍ଷା କରିବା ସହ ଓଡିଶାକୁ ଆଉ ୫ ଲକ୍ଷ ୪୮ ହଜାର ୨୫୦ ଡୋଜ୍ ପଠାଯାଉଛି, ଯାହା ୨୮ ମାର୍ଚ୍ଚ ସୁଦ୍ଧା ରାଜ୍ୟକୁ ଆସିଯିବ । ଚିଠିରେ କୁହାଯାଇଛି, ଯେଉଁ ଯୁକ୍ତିକୁ ଓଡିଶା ସରକାର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି ତାହା ଯୁକ୍ତିସଙ୍ଗତ ନୁହେଁ । ଟିକାବଂଟନରେ କୈାଣସି ଅନିୟମିତତା ଅବା ପାତରଅନ୍ତର ହେଉନାହିଁ ବୋଲି କେନ୍ଦ୍ର ସ୍ପଷ୍ଟ ଭାବେ ଦର୍ଶାଇଛି ।

ରାଜ୍ୟରେ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଟିକା କେତେ ଉପଲବ୍ଧ ରହିଛି ତାହା କେବେ ମଧ୍ୟ ଏକ କାରଣ ନୁହେଁ । କେନ୍ଦ୍ର ସରକାର ଏହି ଚିଠି ଜରିଆରେ ଆଶ୍ୱାସନା ଦେଇଛନ୍ତି, ରାଜ୍ୟକୁ ଟିକା ଯୋଗାଣ କେବେ ମଧ୍ୟ ବ୍ୟାହତ ହେବନାହିଁ ଏବଂ ସ୍ଥିତିର ସମୀକ୍ଷା କରି ଟିକା ଯୋଗାଣ ପାଇଁ ସମସ୍ତ ପଦକ୍ଷେପ କେନ୍ଦ୍ର ନେବ ବୋଲି ଚିଠିରେ ସ୍ପଷ୍ଟ ଭାବେ କୁହାଯାଇଛି । ଏହି ପ୍ରସଙ୍ଗ ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି, ଦେଶରେ କିମ୍ବା ଓଡିଶାରେ ଟିକାର କୈାଣସି ଅଭାବ ନାହିଁ । ଏନେଇ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିବା ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଓଡିଶା ସରକାର ଟିକା ଉପଲବ୍ଧ ନଥିବା ନେଇ ଭୟ ସୃଷ୍ଟି କରିବା ବାବଦରେ ସେ ଆଲୋଚନା କରିଥିଲେ ।

ଗତକାଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ, ପର୍ଯ୍ୟାପ୍ତ ଟିକା ମହଜୁଦ ରହୁନଥିବାରୁ ୧୫ ଦିନ ପାଇଁ ଟିକାକରଣ କରିବାକୁ ରାଜ୍ୟ ରଣନୀତି କରିପାରୁନାହିଁ । ଅନ୍ୟ ରାଜ୍ୟ ଗୁଡିକ ଦିନକୁ ୩ଲକ୍ଷ ଟିକାକରଣ କରୁଛନ୍ତି । ସେମାନଙ୍କ ପର୍ଯ୍ୟାପ୍ତ ଟିକା ମିଳୁଥିବାରୁ ଟିକାକରଣ ଲକ୍ଷ୍ୟ ହାସଲ କରିପାରୁଛନ୍ତି । ଓଡିଶା ଦିନକୁ ୨ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଥିବାରୁ ତୁରନ୍ତ ଟିକା ଯୋଗାଇବାକୁ ଚିଠିରେ ଅନୁରୋଧ କରିଥିଲେ । ଟିକାକୁ ନେଇ ଏହି ଚିଠି ରାଜନୀତି ଭିତରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର, ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛନ୍ତି ।