ସହଜ ହେବ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି । ତିଆରି ହେବ ପ୍ରଶ୍ନପତ୍ର ବ୍ୟାଙ୍କ, ସବୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ନମୁନା ପ୍ରଶ୍ନପତ୍ର

197

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାରେ କେଉଁ ପ୍ରକାର ପ୍ରଶ୍ନ ପଡିବ, କିପରି ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ, ପରୀକ୍ଷା ହଲରେ ସମୟକୁ ଦୃଷ୍ଟିରେ ରଖି କିପରି ଉତର ଲେଖିବାକୁ ହେବ, ଏ ନେଇ ସବୁବେଳେ ସଂଦେହ ପଡିଥାନ୍ତି ଛାତ୍ରଛାତ୍ରୀ । ପୂର୍ବ ବର୍ଷଗୁଡିକର ପ୍ରଶ୍ନପତ୍ର ଆଧାରରେ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥାନ୍ତି । ଏବେ ଏହାକୁ ସହଜ କରିବା ପାଇଁ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ । ୨୦୨୪ ମାଟ୍ରିକ ପରୀକ୍ଷା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉଛି । ଏହି ଅନୁଯାୟୀ ଦଶମ ବୋର୍ଡ ପରୀକ୍ଷା ପାଇଁ ନିକଜୁ ପ୍ରସ୍ତୁତ କରିବେ ଛାତ୍ରଛାତ୍ରୀ । ନମୁନା ପ୍ରଶ୍ନପତ୍ରକୁ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ପଠାଇବେ ଜିଲ୍ଲା ଶିକ୍ଷା ଅଧିକାରୀ । ସମସ୍ତ ପିଲାଙ୍କ ନିକଟରେ ପ୍ରଶ୍ନପତ୍ର ପହଁଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟର ଗୋଟିଏ ସେଟ୍ ଲେଖାଁଏ ପ୍ରଶ୍ନପତ୍ର ପ୍ରତ୍ୟେକ ବିଦ୍ୟାଳୟକୁ ପଠାଯାଇଛି । ଜିଲ୍ଲାସ୍ତରରେ ଦକ୍ଷ ଶିକ୍ଷକ ଓ ଶିକ୍ଷାବିତଙ୍କ ଦ୍ୱାରା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉଛି । ନମୁନା ପ୍ରଶ୍ନଗୁଡିକୁ ପ୍ରଶ୍ନବ୍ୟାଙ୍କ ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହି ପ୍ରଶ୍ନବ୍ୟାଙ୍କ ବ୍ୟବସ୍ଥା ପରୀକ୍ଷା ପ୍ରସ୍ତୁତିରେ ସହାୟକ ହେବ ବୋଲି କହିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ ।

ତେବେ ଶିକ୍ଷାବିତଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । କିଛି ଏହାକୁ ସ୍ୱାଗତ କରିଥିବା ବେଳେ କିଛି ଶିକ୍ଷାବିତଙ୍କ ମତରେ ଏହି ବ୍ୟବସ୍ଥା ସମସ୍ୟା ସୃଷ୍ଟି କରିବା ସମ୍ଭାବନା ରହିଛି ।

ମାଟ୍ରିକ ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ସାମ୍ଭାବ୍ୟ ପ୍ରଶ୍ନପତ୍ର ଅପଲୋଡ୍ କରିଥାନ୍ତି । ଯାହା ଅନେକ ସମୟରେ ବିଭ୍ରାନ୍ତି ସୃଷ୍ଟି କରିଥାଏ । ଏବେ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନମୁନା ପ୍ରଶ୍ନ ଯୋଗାଇଦେବା ଦ୍ୱାରା ପରୀକ୍ଷା ପ୍ରସ୍ତୁତି ସହଜ ହେବ ବୋଲି କୁହାଯାଉଛି ।

ତେବେ ପ୍ରଶ୍ନ ଉଠୁଛି
ପରୀକ୍ଷାର କିଛି ମାସ ପୂର୍ବରୁ ଏହି ପ୍ରଶ୍ନବ୍ୟାଙ୍କ ବ୍ୟବସ୍ଥା କେତେ ସହାୟକ ହେବ?
ନମୁନା ପ୍ରଶ୍ନପତ୍ରକୁ ନେଇ ଦ୍ୱନ୍ଦ୍ୱରେ ପଡିବେ କି ପରୀକ୍ଷାର୍ଥୀ?