୨୫ ବର୍ଷ ପରେ ଓଡିଶା ପାଇଲା ଉପ ମୁଖ୍ୟମନ୍ତ୍ରୀ: ଶେଷ ଉପମୁଖ୍ୟମନ୍ତ୍ରୀ ଥିଲେ ବସନ୍ତ ବିଶ୍ୱାଳ

411

କନକ ବ୍ୟୁରୋ: ଘୋଷଣା ହୋଇଛି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ମୋହନ ମାଝୀଙ୍କ ନାଁ ଘୋଷଣା କରିଛି ବିଜେପି । ସେହିପରି ୨୫ ବର୍ଷ ପରେ ଓଡିଶା ପୁଣି ପାଇଛି ଉପ ମୁଖ୍ୟମନ୍ତ୍ରୀ । ଉପ ମୁଖ୍ୟମନ୍ତ୍ରୀ ପାଇଁ ପ୍ରଭାତୀ ପରିଡା ଓ କେଭି ସିଂଦେଓଙ୍କ ନାଁ ଘୋଷଣା କରିଛି ବିଜେପି । ଓଡିଶାରେ ଶେଷଥର ପାଇଁ ୧୯୯୯ ମସିହାରେ ବସନ୍ତ ବିଶ୍ୱାଳ ଥିଲେ ଉପ ମୁଖ୍ୟମନ୍ତ୍ରୀ । ସେ ଓଡିଶାର ଶେଷ ଉପ ମୁଖ୍ୟମନ୍ତ୍ରୀ ରହିଥିଲେ ।

ଓଡିଶା ଇତିହାସରେ ୩ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ନୀଳମଣୀ ରାଉତରାୟ ଉପମୁଖ୍ୟମନ୍ତ୍ରୀ ରହିଥିଲେ । ସେହିପରି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କାଳରେ ହେମାନନ୍ଦ ବିଶ୍ୱାଳ ଓ ବସନ୍ତ ବିଶ୍ୱାଳ ଉପ ମୁଖ୍ୟମନ୍ତ୍ରୀ ରହିଥିଲେ । ତେବେ ୨୫ ବର୍ଷ ପରେ ଏବେ ପୁଣି ଉପ ମୁଖ୍ୟମନ୍ତ୍ରୀ ପାଇଛି ରାଜ୍ୟ ।

ପ୍ରଭାତୀ ପରିଡା ଓ କେଭି ସିଂ ଦେଓଙ୍କୁ ଦଳ ଓଡିଶାର ଉପ ମୁଖ୍ୟମନ୍ତ୍ରୀ କରିଛି । ପ୍ରଭାତୀ ପରିଡା ୨୦୦୯ ମସିହାରୁ ରାଜନୀତିରେ ପାଦ ଥାପିଥିଲେ । ସେ ନିମାପଡା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ପରାଜିତ ହୋଇଥିଲେ । ଏହା ପରେ ୨୦୧୪ରେ ବିଜେପି ଟିକେଟ ପାଇ ନିର୍ବାଚନ ଲଢିଥିଲେ ବି ପରାଜିତ ହୋଇଥିଲେ । ୨୦୧୯ରେ ବି ସେ ପରାଜିତ ହୋଇଥିଲେ । ଏତେ ଥର ନିର୍ବାଚନ ହାରିବା ପରେ ସେ ଦଳର ସକ୍ରିୟ ସଦସ୍ୟ ଭାବେ କାମ କରିଥିଲେ । ତେଣୁ ୨୦୨୪ରେ ବି ଦଳ ତାଙ୍କୁ ଭରସା କରି ଟିକେଟ ଦେଇଥିଲା ଆଉ ସେ ବିଜୟୀ ହୋଇଥିଲେ । ଆଉ ଜିତୁ ଜିତୁ ଦଳ ତାଙ୍କୁ ଉପହାର ସ୍ୱରୂପ ଉପମୁଖ୍ୟମନ୍ତ୍ରୀ ପଦ ଦେଇଛି ।

କେଭି ସିଂଦେଓ ଓଡିଶା ବିଜେପିର ଜଣେ ବରିଷ୍ଠ ନେତା । ସେ ପାଟଣାଗଡ ନିର୍ବାଚନ ମଣ୍ଡଳୀରୁ ୨୦୨୪ରୁ ୬ଥର ନିର୍ବାଚିତ ହୋଇଛନ୍ତି । ହେଲେ ୨୦୧୯ରେ ସେ ବିଜେଡିର ସରୋଜ ମେହେରଙ୍କଠାରୁ ପରାଜିତ ହୋଇଥିଲେ । ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୨୪ରେ ସେ ପାଟଣାଗଡ ଆସନରୁ ନିର୍ବାଚିତ ହୋଇଛନ୍ତି । ୨୦୦୪ରୁ ୨୦୦୯ ଯାଏଁ ବିଜେଡି-ବିଜେପି ମେଣ୍ଟ ସରକାର ଥିବା ବେଳେ କେଭି ସିଂ ଦେଓ କ୍ୟାବିନେଟ ମନ୍ତ୍ରୀ ରହିଥିଲେ ।