ସାର୍ଟିଫିକେଟ୍ ମୁକୁଳାଇବାକୁ ମାଟି କାମ କରୁଛନ୍ତି ଇଞ୍ଜିନିୟରିଂ ଛାତ୍ରୀ : ଟଙ୍କା ନଥିବାରୁ କଲେଜରୁ ଆଣି ପାରୁନାହାନ୍ତି ସାର୍ଟିଫିକେଟ୍

1,746

କନକ ବ୍ୟୁରୋ : ପାଠ ପଢିବାର ଇଛାଶକ୍ତି ଥିଲେ କୈଣସି ବାଧା ବନ୍ଧନ ଅଟକାଇ ପାରିବ ନାହିଁ । ସବୁ ପ୍ରତିବନ୍ଧକକୁ ଅତିକ୍ରମ କରି ସଫଳତା ପାଇବାର ନିଶା କିଭଳି ଜଣେ ଛାତ୍ରୀଙ୍କୁ କଡା ମେହନତ କରିବାକୁ ଗାଁ ଦାଣ୍ଡକୁ ନେଇ ଆସିଛି । ଗାଁ ଦାଣ୍ଡରେ ଚାଲିଛି ମନରେଗା କାମ । ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ଜବକାର୍ଡ ପାଇଥିବା ଲୋକଙ୍କୁ ଏହି କାମ ଯୋଗାଇ ଦିଆଯାଉଛି । ହେଲେ ଏଠି ମୁଣ୍ଡରେ ମାଟି ବୋହୁଛନ୍ତି ଏହି ଝିଅ ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ଜଣେ ଇଞ୍ଜିନିୟରିଂ ଛାତ୍ରୀ । ମନରେ ପ୍ରଶ୍ନ ଉଠୁଥିବ ଉଚ୍ଚଶିକ୍ଷିତା ହୋଇ ବି ଛାତ୍ରୀ ଜଣକ ମୁଲ ଲାଗୁଛନ୍ତି କାହିଁକି ? ଏହା ପଛର କାରଣ ଜାଣିଲେ ପଥର ଛାତି ବି ତରଳି ଯିବ । ଝିଅଟି ଖୋର୍ଦ୍ଧାର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଡିପ୍ଲୋମା କରୁଛନ୍ତି । ଘର ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀର ଡେଲାଙ୍ଗ ବ୍ଲକ ଚାଇଁପୁର ପଂଚାୟତ ଗୋରଡା ପିଢ ଗାଁ । ବାପା ଲୋକନାଥ ବେହେରା ମା ଗୀତା ବେହେରାଙ୍କ ଝିଅ ରୋଜି ବେହେରା ।

ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା ସରିଥିଲେ ବି ତାଙ୍କୁ ସାର୍ଟିଫିକେଟ ମିଳିନାହିଁ । କାରଣ କଲେଜର ବକେୟା ୨୫ ହଜାର ଟଙ୍କା ସେ ଦେଇପାରି ନାହାନ୍ତି । ବାପା ମାଆଙ୍କର ସେମାନେ ୫ ଝିଅ, ସମସ୍ତେ ପାଠ ପଢୁଛନ୍ତି, ଆଉ ଖର୍ଚ୍ଚ ତୁଳାଇବା ପରିବାର ପକ୍ଷରେ ସମ୍ଭବ ହୋଇପାରୁନଥିବାରୁ କଲେଜ ଫି ଦେଇ ପାରିନାହାନ୍ତି । ତେଣୁ କଲେଜରେ ଫସିଥିବା ସାର୍ଟିଫିକେଟକୁ ମୁକୁଳାଇବା ପାଇଁ ଏଭଳି ମୁଲ ଲାଗୁଛନ୍ତି ଛାତ୍ରୀ ଜଣକ ।