ବୌଦ୍ଧରୁ ଆସିଲା ଅଭାବନୀୟ ଚିତ୍ର । ବିବାହ କରାଇ ଦେବେ କହି ଯୁବତୀଙ୍କୁ ବିକ୍ରି କରିଦେଲେ ଦୁର୍ବୃତ୍ତ

542

କନକ ବ୍ୟୁରୋ : ବିବାହ କରାଇ ଦେବାର ପ୍ରଲୋଭନ ଦେଖାଇ ବୌଦ୍ଧ ଜିଲ୍ଲାର ଜଣେ ଯୁବତୀଙ୍କୁ ରାଜସ୍ଥାନରେ ବିକ୍ରି କରି ଦିଆଯାଇଥିଲା। ସମ୍ବଲପୁର ପୁଲିସ ଏ ସଂପର୍କରେ ଅଭିଯୋଗ ପାଇବା ପରେ ରାଜସ୍ଥାନରୁ ସଂପୃକ୍ତ ପୀଡ଼ିତାଙ୍କୁ ଉଦ୍ଧାର କରିବା ଘଟଣା ଏଠାରେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣା ପଛରେ ଏକ ରାକେଟ୍ ସକ୍ରିୟ ଥିବାର ମଧ୍ୟ ସୂଚନା ମିଳିଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ଖୋଳତାଡ଼ କରୁଛି। ଏଥିସହ ପୁଲିସ ଏହି ଘଟଣାରେ ଯୁଯୁମୁରା ଅଞ୍ଚଳର ଜଣେ ଦଲାଲକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାର ଏହି ଯୁବତୀଙ୍କୁ ବିବାହ କରାଇ ଦେବାର ପ୍ରଲୋଭନ ଦେଖାଇ ସମ୍ବଲପୁରର ୨ ଜଣ ଯୁବକ ରାଜସ୍ଥାନ ନେଇ ଯାଇଥିଲେ। କିନ୍ତୁ ସେଠାରେ ଯୁବତୀଙ୍କୁ ସେମାନେ ୫ ଲକ୍ଷ ଟଙ୍କାରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ। ସେଠାରେ ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା। ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ରହୁଥିବା ଏହି ଯୁବତୀଙ୍କ ଜଣେ ସମ୍ପର୍କୀୟ ଘଟଣା ସମ୍ପର୍କରେ ଜାଣିବା ପରେ ଗତ ସପ୍ତାହରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଥିଲା।

ଯୁବତୀଙ୍କ ମୋବାଇଲ ଲୋକେସନ ପାଇବା ପରେ ଏହାକୁ ଖିଅ କରି ଟିମ୍ ରାଜସ୍ଥାନକୁ ଯାଇଥିଲା। ବୁଧବାର ରାଜସ୍ଥାନରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଘଟଣା ପଛରେ ଏକ ରାକେଟ୍ କାମ କରୁଥିବା ଜଣାପଡ଼ିଛି। ଏହି ରାକେଟରେ ଦଲାଲମାନେ ସମ୍ବଲପୁରରୁ ନିୟମିତ ଭାବେ ଯୁବତୀ ଓ ନାବାଳିକାଙ୍କୁ ନେଇ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ହରିୟାଣାରେ ବିକ୍ରି କରୁଥିବା ସନ୍ଦେହ କରାଯାଉଛି। ତେବେ ଘଟଣା ସମ୍ପର୍କରେ ଅଧିକ ଅନୁସନ୍ଧାନ ଚାଲିଥିବାରୁ ତଦନ୍ତକାରୀ ପୁଲିସ ଅଧିକାରୀ କିଛି କହିବାକୁ ମନା କରି ଦେଇଛନ୍ତି।