ରାଜ୍ୟରେ କମୁଛି ଝିଅଙ୍କ ସଂଖ୍ୟା । କଟକ, ଜଗତସିଂହପୁର, ନୟାଗଡ଼, ସୋନପୁର ଓ ଗଂଜାମ ଜିଲ୍ଲାରେ ସ୍ଥିତି ଉଦବେଗ ଜନକ

179

କନକ ବ୍ୟୁରୋ : ଓଡ଼ିଶାରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । କଟକ, ଜଗତସିଂହପୁର, ନୟାଗଡ଼, ସୋନପୁର ଓ ଗଂଜାମ ଜିଲ୍ଲାରେ ଏ ସଂଖ୍ୟା ଅତି ଉଦବେଗଜନକ ।ଅପେକ୍ଷାକୃତ ଉନ୍ନତ କୁହାଯାଉଥିବା ଏହି ଜିଲ୍ଲା ଗୁଡ଼ିକରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ୯ଶହ ବି ଛୁଇଁନାହିଁ । ଅପରପକ୍ଷେ ପଛୁଆ ଜିଲ୍ଲା କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ୯୮୦ ଓ ତାଠାରୁ ଅଧିକ ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କନ୍ୟା ସନ୍ତାନ ଦିବସ ଅବସରରେ ଏହି ତଥ୍ୟ ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ । ୨୦୨୨ର ରେକର୍ଡ ଆଧାରରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ପ୍ରାୟ ସମାନ୍ତର ଥିବା ୫ଟି ଜିଲ୍ଲାକୁ ସମ୍ମାନିତ କରାଯାଇଛି । କନ୍ଧମାଳରେ ହଜାରେ ପୁଅରେ ଝିଅଙ୍କ ଅନୁପାତ ୯୮୪ ରହିଥିବା ବେଳେ ମାଲକାନଗିରିରେ ଏହା ୯୮୨ ରହିଛି । ସେହିପରି ମୟୂରଭଂଜରେ ୯୮୧, ନବରଙ୍ଗପୁରରେ ୯୬୪ ଓ ସମ୍ବଲପୁରରେ ଏହି ଅନୁପାତ ୯୬୩ ରହିଛି । ଆଗାମୀ ଦିନରେ ଏହି ସବୁ ଜିଲ୍ଲାର ସେକ୍ସ ରେସିଓ ସମାନ କରିବା ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳୀନି ପଣ୍ଡିତ । ପୁଅ ଏବଂ ଝିଅ ସଂଖ୍ୟାରେ ସନ୍ତୁଳନ ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଜନନ ସ୍ୱାସ୍ଥ୍ୟ, ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ, ଟୀକାକରଣ, କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଉପଯୁକ୍ତ ପୁଷ୍ଟି ସାଧନ ପାଇଁ କାର୍ଯ୍ୟକ୍ରମ ଜାରି ରହିଛି ।