କୋଭିଡ ମୁକାବିଲା ପାଇଁ ୨୫ ରାଜ୍ୟକୁ କେନ୍ଦ୍ରର ଅନୁଦାନ । ଓଡ଼ିଶା ଭାଗରେ ୩୩୮ କୋଟି,  ଜାଣନ୍ତୁ ଅନୁଦାନକୁ ନେଇ କେଉଁ ଦଳ ରଖିଲେ କଣ ମତ?

493

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଓଡ଼ିଶାକୁ ୩୩୩.୮ କୋଟିର ଅନୁଦାନ । ଗ୍ରାମାଞ୍ଚଳରେ ଖର୍ଚ୍ଚ ପାଇଁ ଅନୁଦାନ ମଞ୍ଜୁର କଲା କେନ୍ଦ୍ର ଅର୍ଥ ବିଭାଗ । ୨୫ଟି ରାଜ୍ୟ ପାଇଁ ମୋଟ ୮,୯୨୩.୮ କୋଟିର ଅନୁଦାନ ମଞ୍ଜୁର କରାଯାଇଛି । ଆନ୍ଧ୍ରକୁ ୩୮୭.୯ କୋଟି, ଆସାମକୁ ୨୩୭.୨ କୋଟି, ପଶ୍ଚିମବଙ୍ଗକୁ ୬୫୨.୨ କୋଟି, ବିହାରକୁ ୭୪୧.୮ କୋଟିର ଅନୁଦାନ ମିଳିଛି । ଉତ୍ତର ପ୍ରଦେଶକୁ ସର୍ବାଧିକ  ୧୪୪୧.୬ କୋଟି ଓ ଛତିଶଗଡ଼କୁ ୨୧୫ କୋଟିର ଅନୁଦାନ ।

ତେବେ ଏହି ଅନୁଦାନ ଘୋଷଣା ପରେ ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ସରକାର ଯେଉଁ ୩୩୩ କୋଟି ଓଡ଼ିଶାକୁ ଦେଇଛନ୍ତି, ହିସାବ କଲେ ପ୍ରତି ଜିଲ୍ଲା ପାଇଁ ୧୦ କୋଟି ଭାଗ ପଡ଼ିବ ।  ପୂର୍ବରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଓ ଅନ୍ୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ସହାୟତା ପ୍ରଦାନ କରି ସାରିଛନ୍ତି ।  ଗତ ବର୍ଷ ମହାମାରୀ ମୁକାବିଲା ପାଇଁ ପ୍ରତି ପଂଚୟତକୁ ୫ ଲକ୍ଷ ବି ଦେଇଥିଲେ । କେନ୍ଦ୍ର ଯେଉଁ ଅର୍ଥ ଦେଲା, ଆଉ ଆଗରୁ ଦେବାର ଥିଲା । ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବି ଜଲଦି ଦିଅନ୍ତୁ । ଆଉ ମୁଖ୍ୟମନ୍ତ୍ରୀ ଯେଉଁ ଟୀକା ଉପରୁ ଜିଏସିଟି ଛାଡ଼ ପାଇଁ ନିବେଦନ କରିଛନ୍ତି, ତାହା କରନ୍ତୁ କେନ୍ଦ୍ର ସରକାର । ଏପରିକି ସମ୍ପୂର୍ଣ୍ଣ ଟୀକା ଖର୍ଚ୍ଚ କେନ୍ଦ୍ର ବହନ କରନ୍ତୁ । ଏପରି ହେଲେ, ବଳକା ଅର୍ଥ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶରେ ଲାଗି ପାରିବ ।

ଅନ୍ୟପଟେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କରୋନା ସମୟରେ ଯେମିତି ଦେଶର ବିକାଶ ବାଧାପ୍ରାପ୍ତ ନ ହେଉ, ଗାଁରେ ବିକାଶ ନ ଅଟକୁ, ରାଜ୍ୟ ସରକାରଙ୍କ କରୋନା ବିରୋଧୀ ଲଢେଇରେ ସାଧନ ରଖିବାକୁ ଆଗୁଆ ଅର୍ଥ ଦେଇଛି କେନ୍ଦ୍ର ସରକାର । ପୂର୍ବରୁ ଏସଡିଆରଏଫକୁ ବି ଆଗୁଆ ଅର୍ଥ ଦେଇଥିଲେ କେନ୍ଦ୍ର ସରକାର । ସେଥିରୁ ୫୦ ପ୍ରତିଶତ କରୋନା ପାଇଁ ମୁକାବିଲା ପାଇଁ କହିଥିଲେ । ଖୁସିର କଥା ପନ୍ଦରତମ ଅର୍ଥ କମିଶନ ଅନୁଦାନ ଆଗୁଆ ଦେଇଛନ୍ତି । ୩୩୩ କୋଟି ଓଡ଼ିଶାରେ ଖର୍ଚ୍ଚ ହେଲେ, ବିକାଶ ହେବ । ସଂକ୍ରମଣ ପାଇଁ ବିକାଶ ଯେଉଁଠି ଅଟକିଛି, ଆର୍ଥିକ ସ୍ଥିତି ସୁଧୁରିବାକୁ ଏହା ବେଶ ସହାୟକ ହେବ । ତେଣୁ କେନ୍ଦ୍ର ସରକାରଙ୍କୁ ଆମେ ଧନ୍ୟବାଦ ଦେଉଛୁ ।

ସେହିଭଳି କଂଗ୍ରେସ ନେତା ସୁର ରାଉତରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏତେ ଦିନ ପରେ ତାଙ୍କ ନିଦ ଭାଙ୍ଗିଛି । କୋଭିଡ଼ ରୋଗୀ ପିଛା ଦୁଇ ଲକ୍ଷ ଖର୍ଚ୍ଚ କରାଯିବ। ରାଜ୍ୟଗୁଡିକୁ ଆର୍ଥିକ ସାହାଯ୍ୟ ଦିଆଯିବ ବୋଲି କେନ୍ଦ୍ର ସରକାର ଯେଉଁ ଘୋଷଣା କରିଛନ୍ତି ତାହା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁତ ଉପଯୋଗୀ ହେବ ।