କନକ ବ୍ୟୁରୋ : କୋଭିସିଲ୍ଡ ପରେ ଆସିଲା କୋଭାକ୍ସିନ । ଓଡ଼ିଶାରେ ପହଞ୍ଚିଲା କୋଭାକ୍ସିନ ଟିକା । କୋଭାକ୍ସିନ ଟିକା ହାଇଦ୍ରାବାଦରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ସମ୍ପୂର୍ଣ୍ଣ ଦେଶୀ ଟିକା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦ ହଜାର ଡୋଜ ରାଜ୍ୟରେ ପହଞ୍ଚିଛି ।
ଭାରତ ବାୟୋଟେକ୍ ଠାରୁ ୫୫ ଲକ୍ଷ କୋଭାକସିନ୍ ଟିକା କିଣିବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । କୋଭାକସିନ୍ ହେଉଛି ଭାରତର ସଂପୂର୍ଣ୍ଣ ଦେଶୀ ଟିକା । ପ୍ରତି ଡୋଜକୁ ୨୯୫ ଟଙ୍କା ହିସାବରେ ୩୮ ଲକ୍ଷ ୫୦ ହଜାର ଡୋଜ ଟିକା କିଣିବେ କେନ୍ଦ୍ର ସରକାର । ସେପଟେ ଭାରତ ବାୟୋଟେକ୍, ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ ବୋଲି ଘୋଷଣା କରିଛି । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଟିକା ଦେବା ପାଇଁ ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ।
ସେହିଭଳି ଗତକାଲି ପୁଣେରୁ ଭୁବନେଶ୍ୱର କରୋନା ଟିକା ଆସି ପଂହଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ଟିକା ଭଣ୍ଡାରରୁ କଟକ, ପୁରୀ ଓ ନୟାଗଡ ଜିଲ୍ଲାକୁ ଟିକା ଦିଆଯାଇଛି । କଟକକୁ ୧୯ ହଜାର ଶହେ ଡୋଜ, ନୟାଗଡକୁ ୪ ହଜାର ଡୋଜ ଓ ପୁରୀକୁ ଯାଇଛି ୭ ହଜାର ଡୋଜ । କଡା ସୁରକ୍ଷା ଭିତରେ ସ୍ୱତନ୍ତ୍ର ଭ୍ୟାନ ଯୋଗେ ଏହି ଟିକା ସଂପୃକ୍ତ ଜିଲ୍ଲାଗୁଡିକୁ ଯାଇଛି । ମଙ୍ଗଳବାର ପୁଣେରୁ ରାଜ୍ୟକୁ ଆସିଛି ମୋଟ୍ କୋଭିସିଲ୍ଡିର ୪୦ ହଜାର ୮ ଶହ ଭାୟାଲ । ଏଥିରେ ୪ ଲକ୍ଷ ୮ ହଜାର ଡୋଜ କୋଭିଡ୍ ଟିକା ରହିଛି ।ଆଉ ଆଜି ସକାଳୁ ବିଭିନ୍ନ ଜିଲ୍ଲା ଗୁଡିକ ଟିକା ପଠାଇବାର ପ୍ରସ୍ତୁତି ସକାଳୁ ସକାଳୁ ଆରମ୍ଭ ହୋଇଛି ।