ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଫିଟିଲା ବାଟ : କ୍ୟାବିନେଟରେ ୫ଟି ପ୍ରସ୍ତାବ ପାରିତ

୫୦ ପ୍ରତିଶତରୁ ଅଧିକ ଆସନ ସଂରକ୍ଷଣ ନେଇ ଚାଲିଥିଲା ବିବାଦ; ଚଳିତ ଅଧିବେଶନରେ ସଂଶୋଧିତ ବିଲ ପାରିତ ହେବା ସମ୍ଭାବନା

201

କନକ ବ୍ୟୁରୋ : ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଛି । କ୍ୟାବିନେଟରେ ମିଳିଲା ଅନୁମୋଦନ । କ୍ୟାବିନେଟର ପଂଚାୟତର ୩ଟି ଆଇନର ସଂଶୋଧନକୁ ମିଳିଲା ଅନୁମୋଦନ । ସେହିପରି ପୌରର ଦୁଇଟି ଆଇନର ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି । ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ବାଧକ ସାଜିଥିବା ଏହି ୫ଟି ଆଇନ ଶଂସୋଧନକୁ କ୍ୟାବିନେଟ ଅନୁମୋଦନ କରିଥିବାରୁ ନିର୍ବାଚନ ପାଇଁ ବାଟ ଫିଟିଛି । ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣକୁ ନେଇ ବିବାଦ ଚାଲିଥିଲା । ତେଣୁ ସରକାର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସଂରକ୍ଷଣକୁ ୫୦ ପ୍ରତିଶତ ଭିତରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ସଂଶୋଧନ ବିଲକୁ ଚଳିତ ଅଧିବେଶନରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି । ବିଧାନସଭାରେ ମୌସୁମୀ ଅଧିବେଶନ ଚାଲିଥିବାରୁ କ୍ୟାବିନେଟ ବୈଠକ ବାବଦରେ ସରକାରୀ ଭାବେ ସୂଚନା ମିଳିନାହିଁ ।

ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ କ୍ୟାବିନେଟ୍ ବୈଠକ ହୋଇଥିଲେ। ଏଥିରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଥିବା ୩ଟି ଆଇନ୍ ଓ ପୌର ନିର୍ବାଚନ ପାଇଁ ଥିବା ୨ଟି ଆଇନ୍‌ରେ ସଂଶୋଧନ ପ୍ରସ୍ତାବ ଅଣାଯାଇଥିଲା। ତିନିଟି ପଞ୍ଚାୟତ ଆଇନ ହେଲା ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଆଇନ-୧୯୯୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧। ଦୁଇଟି ପୌର ଆଇନ ହେଲା ଓଡ଼ିଶା ମ୍ୟୁନିସିପାଲ୍ ଆଇନ-୧୯୫୦ ଓ ଓଡ଼ିଶା ମ୍ୟୁନିସିପାଲ୍‌ କର୍ପୋରେସନ୍ ଆଇନ-୨୦୦୩।

ପୂର୍ବରୁ ଏହି ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ସଂରକ୍ଷଣ ୬୫%ରୁ ଅଧିକ ହୋଇଯାଉଥିଲା। ଅନୁସୂଚିତ ଜାତିକୁ ୧୬.୨୫%, ଅନୁସୂଚିତ ଜନଜାତିକୁ ୨୨.୫% ଓ ଓବିସିକୁ ୨୭% ସଂରକ୍ଷଣ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟ ଏ ସଂକ୍ରାନ୍ତୀୟ ଏକ ମାମଲାର ବିଚାର କରି ସଂରକ୍ଷଣ ସୀମାକୁ ୫୦% ଭିତରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ୍ ରଖିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆଇନରେ ସଂଶୋଧନ ଆବଶ୍ୟକ ଥିଲା । ତେଣୁ ପାଞ୍ଚଟି ଯାକ ଆଇନରେ ସଂଶୋଧନ କରାଯାଇ ସଂରକ୍ଷଣ ସୀମା ୫୦% ଭିତରେ ରଖିବାର ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି ।କ୍ୟାବିନେଟ୍‌ରେ କେବଳ ଏହି ପ୍ରସ୍ତାବ ହିଁ ଗୃହୀତ ହୋଇଥି‌ଲା । ତେଣୁ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସି ସଂରକ୍ଷଣ ୧୧%କୁ ଖସିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।