ଓଡ଼ିଶା ସୀମାରେ ଜଗିଛି ଆନ୍ଧ୍ର । ସାଂସଦ କହିଲେ ସୀମା ସୁରକ୍ଷିତ, ଆନ୍ଧ୍ରକୁ ଛଡାଯିବନି ଇଞ୍ଚେ ଜାଗା ।

130

କନକ ବ୍ୟୁରୋ: ଓଡିଶା ମାଟିରେ ଆସି ଆନ୍ଧ୍ର ମନ୍ତ୍ରୀଙ୍କ ଦାଦାଗିରିର ୩ ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ । ଓଡ଼ିଶା ଅଧିକାରୀଙ୍କୁ ଧମକାଇବା ଓ ବାଧା ଦେଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନାଲିଆଖି ଦେଖାଇବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସାଂସଦ । ତେବେ ଓଡ଼ିଶାର ସୀମା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଦୃଢୋକ୍ତି କରିବା ସହ ଇଞ୍ଚେ ବି ଜାଗା ଆନ୍ଧ୍ରକୁ ଛଡାଯିବନି ବୋଲି ସାଂସଦ କହିଛନ୍ତି । ରାଜ୍ୟସଭା ସାଂସଦ ସୁବାସ ସିଂ ମଧ୍ୟ ସୀମା ବିବାଦ ମାମଲା ସୁପ୍ରିମକୋର୍ଟରେ ଥିବା କହିଛନ୍ତି ।

ତେବେ ଆଜି ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଜପତି ଯାଇଥିଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ମହେନ୍ଦ୍ରଗିରି ପରିଦର୍ଶନ କରିବା ସହ ତାରାତାରିଣୀ ମନ୍ଦିର ବୁଲି ଦେଖିଥିଲେ । ହେଲେ ମହେନ୍ଦ୍ରଗିରି ଆରପଟେ ଥିବା ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା ଗାଁକୁ ଯାଇନଥଲେ ମୁଖ୍ୟ ସଚିବ । ଏପିରିକି ଆନ୍ଧ୍ର ଦାଦାଗିରି ପ୍ରସଙ୍ଗରେ ସ୍ଥାନୀୟ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇ ଯାଇଥିବା ଅଭିଯୋଗ ହୋଇଛି । ଏହାକୁ ପ୍ରସଙ୍ଗ କରି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ଓ କଂଗ୍ରେସ । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମ ରାଉତ ମଧ୍ୟ ରାଜ୍ୟ ସରକାର ତୁରନ୍ତ ଏହି ବିବାଦରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡିଶା ସୀମାରେ ଜଗି ରହିିଛି ଆନ୍ଧ୍ରପ୍ରଦେଶ । ମାଣିକପାଟଣାରେ ଏବେ ଆନ୍ଧ୍ର ସଶସ୍ତ୍ର ପୋଲିସ ଓ ପ୍ରଶାସନିକ ଅଧିକାରୀ ଜଗିିଛନ୍ତି । ଗଜପତି ଜିଲ୍ଲା ରାୟଗଡା ବ୍ଲକ ଗଙ୍ଗାବାଡ ପଞ୍ଚାୟତରେ ଆନ୍ଧ୍ର ମନ୍ତ୍ରୀ ଧମକ ଦେଇଯିବା ପରେ, ସେହି ଅଞ୍ଚଳରେ ଏବେ ୨୪ ଘଣ୍ଟିଆ କ୍ୟାମ୍ପ ଖୋଲି ପହରା ଦେଉଛି ଆନ୍ଧ୍ର ପୋଲିସ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଚୁପ୍ ବସିଛି ଓଡ଼ିଶା ପ୍ରଶାସନ ।