ଫୋନ ପେ’ରୁ ଉଭାନ ହୋଇଗଲା ଟଙ୍କା ! ରିୱାର୍ଡର ପ୍ରଲୋଭନ ଦେଖାଇ ବ୍ୟାଙ୍କ ଖାତାରୁ ୪ ହଜାର ଟଙ୍କା ଚଳୁକରିଦେଲା ଠକ । ପୁରସ୍କାର ଆଶାରେ ବି ଉଡିଗଲା ସରକାର ଦେଇଥିବା ସହାୟତା ରାଶି

3,666

କନକ ବ୍ୟୁରୋ: ମହାମାରୀ କୋଭିଡ୍-୧୯ ପାଇଁ ଶ୍ରମିକ ହିସାବରେ ମିଳିଥିଲା ୧୫ଶହ ଟଙ୍କା। ଏହି ଅର୍ଥକୁ ମିଶାଇ ବ୍ୟାଙ୍କ ଜମା ଖାତାରେ ଥିଲା ମୋଟ୍ ସାଢ଼େ ଚାରି ହଜାର ଟଙ୍କା। କରୋନା କଟକଣା ପାଇଁ କାମଧନ୍ଦା ନଥିବାରୁ ଏତିକି ଅର୍ଥକୁ ବଡ଼ କଷ୍ଟରେ ମାପିଚୁପି ଖର୍ଚ୍ଚ କରିବାକୁ ବସିଥିଲେ ଭରତପୁର ଅଞ୍ଚଳର ଶ୍ରମିକ ପ୍ରଦୀପ ଦାସ। ମାତ୍ର ଫୋନ୍ ପେ’ ରିୱାର୍ଡ ଆଶା ଦେଖାଇ ସେତକ ଠକିନେଇଛି ଠକ ଆଉ ଆକାଉଣ୍ଟରୁ ଜମା ଟଙ୍କାତକ ଉଡ଼ିଯିବା ପରେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ପ୍ରଦୀପ।

ପ୍ରଦୀପ ଜଣେ ନିର୍ମାଣ ଶ୍ରମିକ। ଶୁକ୍ରବାର ସନ୍ଧ୍ୟାରେ ଜଣେ ଅଣଓଡ଼ିଆ ବ୍ୟକ୍ତି ନିଜକୁ ଫୋନ୍-ପେ’ ସର୍ଭିସର କର୍ମଚାରୀ ବୋଲି ପରିଚୟ ଦେଇ ତାଙ୍କୁ ଫୋନ୍ କରିଥିଲା ଓ ଫୋନ୍ ପେ’ ବ୍ୟବହାର ଉପରେ ପଚାରିଥିଲା। ରିୱାର୍ଡ ମିଳୁଛି କି ନାହିଁ ବୋଲି ପଚାରିବାରୁ ପ୍ରଦୀପ ମୋଟେ କିଛି ପାଇ ନଥିବା କହିଥିଲେ। ଏହା ପରେ ଉକ୍ତ ବ୍ୟକ୍ତି ଜଣକ ବଡ଼ ଚତୁରତାର ସହ ନିରୀହ ପ୍ରଦୀପକୁ ଲୋଭ ଦେଖାଇବା ସହ ମୋଟ କାରବାର ହିସାବରେ ସେ ୧୬ଶହ ଟଙ୍କା ରିୱାର୍ଡ ପାଇବା କଥା ବୋଲି କହିଥିଲା ଆଉ କରୋନା ମହାମାରୀ ସଂକଟ ଭଳି ଦୁର୍ଦ୍ଦିନରେ ୧୬ଶହ ଟଙ୍କା ପାଇବା ଆଶାରେ ବିଚରା ପ୍ରଦୀପ ଦେଇଥିଲେ ନିଜ ଆକାଉଣ୍ଟ ନମ୍ବର ସମେତ ସିକ୍ରେଟ୍ ପାସ୍ କୋର୍ଡ ନମ୍ବର ।

ଏହା ପରେ ସେ ରିୱାର୍ଡ ମେସେଜ୍କୁ ଚାହିଁ ରହିଥିବା ବେଳେ ତାଙ୍କ ଆକାଉଣ୍ଟରୁ ୩ ହଜାର ୮ଶହ ଟଙ୍କା ଉଠାଣ ହୋଇଥିବା ମେସେଜ୍ ପାଇଥିଲେ। ଏହା ଦେଖି ତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା ଓ ସେ ସଙ୍ଗେସଙ୍ଗେ ଉକ୍ତ ବ୍ୟକ୍ତି ଜଣକ ଦେଇଥିବା ନମ୍ବରରେ ଫୋନ୍ କରିଥିଲେ। ମାତ୍ର ଫୋନ୍ ସୁଇଚ୍ ଅଫ ହୋଇଯାଇଥିଲା।