ଚାଲିଗଲେ ଓଡ଼ିଶା ଫୁଟବଲର ଦ୍ରୋଣାଚାର୍ଯ୍ୟ । ଚିକିତ୍ସାଧୀନ ଅବସ୍ଥାରେ କିମ୍ବଦନ୍ତୀ ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ, ଗାଁର ପ୍ରତିଭାକୁ ଜାତୀୟ-ଅର୍ନ୍ତଜାତୀୟସ୍ତର ଯାଏଁ ପହଞ୍ଚାଇ ପାରିଥିଲେ ନନ୍ଦକିଶୋର ।

205

କନକ ବ୍ୟୁରୋ : ଓଡିଶାର ଫୁଟବଲକୁ ଜାତୀୟ ସ୍ତରରେ ପରିଚୟ ଦେଇଥିବା ଖ୍ୟାତନାମା ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକ ଆଉ ନାହାନ୍ତି । କରୋନା ଅନେକ ଲୋକଙ୍କୁ ଏଭଳି ଛଡାଇ ନେଉଥିବା ବେଳେ ନନ୍ଦକିଶୋର ପଟ୍ଟନାୟକ କରୋନାର ଶିକାର ହୋଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

କୁହାଯାଏ-ବଣର ମଲ୍ଲୀ ବଣରେ ଫୁଟି ମଉଳି ଯାଏ । ଓଡିଆ ଭାଷାରେ ଥିବା ଏହି ଲୋକକଥାକୁ କିଛି ଲୋକ ଭୁଲ ପ୍ରମାଣିତ କରି ଦେଇଥିଲେ, ଆଉ ସେମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି- ନନ୍ଦକିଶୋର ପଟ୍ଟନାୟକ । ଫୁଟବଲ ପ୍ରତିଭା ଥିବା ବଣର ମଲ୍ଲୀଙ୍କୁ ଆଣି ଏଭଳି ଗଢ଼ି ତୋଳୁଥିଲେ ଯେ, ସେ ଫୁଟ୍ବଲ ଖେଳି ରାଜ୍ୟ ଓ ଦେଶ ପାଇଁ ଗୌରବ ସାଉଁଟି ଆଣୁଥିଲେ ।

ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ପ୍ରଶାନ୍ତି ପ୍ରଧାନ, ସୁଦିପ୍ତା ଦାଶ, ସରିତା ଜୟନ୍ତୀ ବେହେରା, ମାମାଲି ଦାସ ଏବଂ ପ୍ରଥମା ପ୍ରିୟଦର୍ଶିନୀ । ଇଏ ହେଉଛି ସେହି ଗୋଟିଏ ଗୋଟିଏ ନାଁ ଯେଉଁମାନେ ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ଠାରୁ ପ୍ରଶିକ୍ଷଣ ପାଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି । ବସ୍ତିରୁ ପିଲାଟିଏ ଉଠାଇ ସଫଳତାର ଶିଖର ଯାଏଁ ପହଂଚାଇବାର ସାମର୍ଥ୍ୟ ରଖୁଥିବା ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି । ମହାମାରୀ, ଓଡ଼ିଶା ଫୁଟବଲର ଏହି କିମ୍ବଦନ୍ତୀଙ୍କୁ ଆମଠାରୁ ଛଡ଼ାଇ ନେଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି ।

୧୯୫୬ ମାର୍ଚ୍ଚ ୧୬ରେ ଜନ୍ମିତ ନନ୍ଦକିଶୋର ଦୁଇ ଦୁଇଥର ଜୁନିୟର ଫୁଟବଲ ଚାମ୍ପିଅନ୍ସିପରେ ଓଡିଶାକୁ ପ୍ରତିନିଧିତ୍ୱ କରିଥିଲେ । ୧୯୯୨-୯୩ରେ ଫୁଟବଲ କୋଚିଂ ଆରମ୍ଭ କରିବା ସହ ୧୯୯୫ରେ ମହିଳା ଫୁଟବଲ ଦଳର କୋଚ୍ ଭାବେ ନିଯୁକ୍ତ ହେଲେ । ଏକାଧିକ ଥର ସେ ଓଡିଶା ମହିଳା ଫୁଟବଲ ଦଳର କୋଚ୍ ଭାବେ ଦାୟିତ୍ୱ ତୁଲାଇଥିଲେ । ଓଡିଶା ଫୁଟବଲ ଜଗତକୁ ତାଙ୍କ ଅବଦାନ ପାଇଁ ତାଙ୍କୁ ବିଜୁ ପଟ୍ଟନାୟକ ଖେଳରତ୍ନ ପୁରସ୍କାରରରେ ସାମ୍ମାନିତ କରିଥିଲେ ରାଜ୍ୟ ସରକାର । ଫୁଟବଲ କୋଚ୍ ନନ୍ଦକିଶୋରଙ୍କ ଦେହାନ୍ତ, ଓଡିଶା ଫୁଟବଲ ଜଗତ ପାଇଁ ସବୁ ଦିନ ପାଇଁ ଏକ ଅପୁରଣୀୟ କ୍ଷତି ହୋଇ ରହିଗଲା ।