କନକ ବ୍ୟୁରେ : ସରକାରୀ ଅଧିକାରୀ ଫନି ବିପର୍ଯ୍ୟୟ ତାଲିକାରେ ଭୁଲ କଲେ। ପୁରୀ ଜିଲ୍ଲା ବାତ୍ୟା ବିପର୍ଯ୍ୟୟ ଲୋକଙ୍କ ସ୍ଥିତି ଏବେ ଦୁର୍ବିସହ ହୋଇପଡିଲାଣି। ଏମିତି ଯେ ମେ ମାସର ବାତ୍ୟା ବିପର୍ଯ୍ୟୟର କ୍ଷତ ଅପେକ୍ଷା ପୁରୀ ଜିଲ୍ଲା ପ୍ରଶାସନର ଦଣ୍ଡ ତାଙ୍କ ପାଇଁ ଅତ୍ୟନ୍ତ ଅସହ୍ୟ ହୋଇଗଲାଲାଣି। ଫନି ବିପନ୍ନଙ୍କ ୧ଲକ୍ଷ ୩୧ ହଜାର ଆକାଉଣ୍ଟ୍ ଅଚଳ କରି ଦେଇ ଜିଲ୍ଲାପାଳ ଏବେ ସେସବୁ ପରିବାରକୁ ଦୁଃସ୍ଥିତି ଭିତରକୁ ଠେଲି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାତ ଦିନ ଭିତରେ କ୍ଷତିପୂରଣ ଦେବାକୁ କହିଥିଲେ। ଏବେ କ୍ଷତିପୂରଣ ତ ମିଳିଲାନି। ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନ ପାରିବା କାରଣରୁ ସେମାନଙ୍କ ପରିବାର ଚଳାଇବା ମଧ୍ୟ କାଠିକର ପାଠ ହୋଇଗଲାଣି। ନା ଲୋକ ପ୍ରତିନିଧିମାନେ ଏ ନେଇ କିଛି ପଦକ୍ଷେପ ନେଉଛନ୍ତି ନା ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ଗ୍ରହଣ କରୁଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିସନର ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି।
ଏହି ଗୋଟିଏ ଘଟଣା ବୟାନ କରୁଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକୁ ତାଙ୍କ ବିଭାଗର ଅଧିକାରୀମାନେ କିଭଳି ଢଙ୍ଗରେ ପାଳୁଛନ୍ତି। ଲୋକଙ୍କର ହିଁ ଟଙ୍କା। ଲୋକଙ୍କ ଟଙ୍କାରେ ସରକାରୀ ଅଧିକାରୀମାନେ ଦରମା ପାଉଥିବା କଥା ମୁଖ୍ୟମନ୍ତ୍ରୀ କହୁଥିଲେ ହେଁ, ତାଙ୍କ ଅଧିକାରୀମାନେ ପୁରୀରେ ନିଜର ଦମ୍ ଦେଖାଉଛନ୍ତି। ଏହାକୁ ନେଇ ଗାଁ ଗାଁରେ ଅସନ୍ତୋଷ ବଢିବାରେ ଲାଗିଲାଣି। ଉଲ୍ଲେଖଯୋଗ୍ୟ ଯେ ମେ’ ୩ ତାରିଖ ଭୀଷଣ ସାମୁଦ୍ରିକ ବାତ୍ୟା ଫନି କାରଣରୁ ପୁରୀ ଜିଲ୍ଲା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କଲେ ଓ ତୁରନ୍ତ ସହାୟତା ଘୋଷଣା କଲେ। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ତତ୍କାଳ ଅର୍ଥ ପ୍ରଦାନ କଲେ ଓ ଫନି ମୁକାବିଲା ବାବଦରେ ୩ହଜାରରୁ ଅଧିକ କୋଟି ଟଙ୍କା ଦେଲେ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସ୍ବତନ୍ତ୍ର ରିଲିଫ୍ କମିସନର ପୁରୀ କ୍ଷତିଗ୍ରସ୍ତଙ୍କ ପାଇଁ ଅର୍ଥ ମଧ୍ୟ ଜିଲ୍ଲା ପ୍ରଶାସନକୁ ଦେଇ ସାରିଲେଣି। ହେଲେ ରାଜନେତା ଓ ପ୍ରଶାସକଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ କ୍ଷତିଗ୍ରସ୍ତଙ୍କ ତାଲିକା ପ୍ରସ୍ତୁତିରେ ଯେଉଁ କେଳେଙ୍କାରୀ ହେଲା, ସେଥିରେ ପ୍ରକୃତ କ୍ଷତିଗ୍ରସ୍ତ ନାହିଁନଥିବା ଦୁର୍ଦଶାର ସମ୍ମୁଖୀନ ହେଲେଣି। ଶାସକ ଦଳର ନେତାଙ୍କ ଇଙ୍ଗିତରେ ତିଆରି ହୋଇଥିବା ଜାଲି ତାଲିକା କାରଣରୁ ପ୍ରଶାସନ ଏବେ ସାନି ସର୍ଭେ କରୁଛନ୍ତି। ହେଲେ ଏ ଆଳରେ ୧ଲକ୍ଷ ୩୧ ହଜାର ଲୋକଙ୍କ ଆକାଉଣ୍ଟକୁ ଫ୍ରିଜ୍ ବା ଅଚଳ କରିଦିଆଯାଇଛି।
ଏହି ଘଟଣା କେଉଁଠି ନା କେଉଁଠି ସଙ୍କେତ ଦେଉଛି ଯେ ପୁରୀରେ ହିତାଧିକାରୀ ଚୟନରେ ବଡ଼ ଧରଣର କେଳେଙ୍କାରୀ ହୋଇଛି। କିନ୍ତୁ ଏହି କେଳେଙ୍କାରୀ ଘଟଣାରେ ସରକାର ଆଖିବୁଜା କାର୍ଯ୍ୟାନୁଷ୍ଠାନ ନେଇ ନିଜ ସ୍ବଚ୍ଛତା ପ୍ରକଟ କରିବା ପରିବର୍ତେ ଏବେ ସାଧାରଣ ଲୋକଙ୍କ ଉପରେ ଦାଉ ସାଧୁଛନ୍ତି। ଭଙ୍ଗା ଘରେ ପ୍ରାୟ ୮ ମାସ ଧରି ଲୋକେ ରହିଛନ୍ତି। ଜରି ପାଲ ତଳେ ରହି ବର୍ଷା ମାଡ଼ ଖାଇଲେ, ଏବେ ପ୍ରବଳ ଶୀତ, କାକର ସମ୍ଭାଳୁଛନ୍ତି। କିଛି ଅଧିକାରୀ ଭୁଲ କଲେ ଓ ସାଧାରଣ ଲୋକେ କାହିଁକି କଷ୍ଟ ସହିବେ ବୋଲି ଏବେ ଲୋକେ ପ୍ରଶ୍ନ କଲେଣି। କୌତୂହଳ କଥା ହେଉଛି, ପୁରୀ ଜିଲ୍ଲାକୁ ପ୍ରାୟ ନିୟମିତ ବ୍ୟବଧାନରେ ବରିଷ୍ଠ ପଦାଧିକାରୀ ଯାଉଛନ୍ତି। ଶ୍ରୀ ମନ୍ଦିର ବାହାରକୁ ଚକାଚକ୍ କରିବା ଲାଗି ସରକାର ପ୍ରାଣମୂର୍ଛା ଉଦ୍ୟମ ଚଳାଇଛନ୍ତି। ହେଲେ ସେହି ଜିଲ୍ଲାର ଲୋକଙ୍କ ନିକଟରେ ସରକାରଙ୍କ ଘୋଷଣା ପହଞ୍ଚି ପାରିନାହିଁ, ଏକଥା କେହି ଦେଖିପାରୁନାହାନ୍ତି।
ଏପରିକି ଫନି ପରେ ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ଆଦି ଯେଉଁ ଗଛ ଭଙ୍ଗା ବାବଦରେ ଅର୍ଥ ଘୋଷଣା କରିଥିଲେ, ତାହା ମଧ୍ୟ ମିଳିପାରିନାହିଁ। ଆସନ୍ତା ୧୭ ତାରିଖ ଦିନ ଜିଲ୍ଲାପାଳ ସମ୍ମିଳନୀ ହେବ। ରାଜ୍ୟ ସରକାର ସେତେବେଳେ ଫନି ହିତାଧିକାରୀଙ୍କ ଚୟନ କ୍ଷେତ୍ରରେ ଯେଉଁ କେଳେଙ୍କାରୀ ହୋଇଛି, ସେଥିପାଇଁ ଉତ୍ତରଦାୟିତ୍ବ ନିର୍ଧାରଣ କରି ପୁରୀ ଜିଲ୍ଲାପାଳଙ୍କୁ ପୁରସ୍କାର ଦେବେ କି ଦଣ୍ଡ ଦେବେ ତାହା ଦେଖିବା କଥା। କେବଳ ସେତିକି ନୁହେଁ, ପ୍ରଶାସନର ଦୋଷ ଲାଗି ଯେଉଁଭଳି ଭାବେ ଲକ୍ଷାଧିକ ଲୋକଙ୍କର ଆକାଉଣ୍ଟକୁ ଅଚଳ କରାଯାଇଛି, ତା ପାଇଁ ଜିଲ୍ଲାପାଳଙ୍କୁ ସରକାର ସାବାସୀ ଦେଉଛନ୍ତି କି ନିନ୍ଦା କରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। କେଉଁ କ୍ଷମତା ବଳରେ ଜିଲ୍ଲାପାଳ ଏଭଳି ପଦକ୍ଷେପ ଦେଲେ, ମୁଖ୍ୟମନ୍ତ୍ରୀଙ୍କର ଏଥିରେ ସମ୍ମତି ଅଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି। ଏ ସଂପର୍କରେ ପୁରୀ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲେ ବି ତାହା ସମ୍ଭବ ହୋଇପାରିନାହିଁ। ଏ ସଂପର୍କରେ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପଚାରିବାରେ ଖୁବଶୀଘ୍ର ଆକାଉଣ୍ଟ୍ ସଚଳ କରାଯିବ ବୋଲି କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/FONI.jpg)