ଟିକାର ଗ୍ଲୋବାଲ ଟେଣ୍ଡର ପାଇଁ ଆରମ୍ଭ ହେଲା ପ୍ରକ୍ରିୟା : ଓଡିଶା ଔଷଧ ନିଗମ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

156

କନକ ବ୍ୟୁରୋ : ଟିକାର ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରକିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଟେଣ୍ଡର ପାଇଁ ଓଡିଶା ଔଷଧ ନିଗମ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଟେଣ୍ଡର ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ବିଡର । ସରକାରଙ୍କ ଟେଣ୍ଡର ଓଡିଶା ପୋର୍ଟାଲରେ କରିପାରିବେ ଆବେଦନ । ୩ କୋଟି ୮୦ଲକ୍ଷ ଡୋଜ୍ ପାଇଁ ପ୍ରକାଶ ପାଇଛି ଟେଣ୍ଡର । ଡିସିଜିଆଇ ଅନୁମୋଦିତ ଟିକା ପ୍ରସ୍ତୁତକାରୀ କମ୍ପାନୀ ଆବେଦନ କରିପାରିବେ ।

ରାଜ୍ୟ ଔଷଧ ନିଗମର ୱେବସାଇଟ୍‌ରେ ଗ୍ଲୋବାଲ ଟେଣ୍ଡର୍‌ ସଂପର୍କିତ ସମସ୍ତ ସର୍ତ୍ତାବଳୀ ଉଲ୍ଲେଖ କରାଯାଇଛି । ଟିକା ଯୋଗାଣକାରୀ କମ୍ପାନି ୩୦ ଦିନ ଭିତରେ ୭୫ଲକ୍ଷ ଡୋଜ୍ ଯୋଗାଇବେ । ୬୦ ଦିନ ଭିତରେ ୨କୋଟି ୨୫ଲକ୍ଷ, ୯୦ଦିନରେ ୩କୋଟି ୭୫ଲକ୍ଷ ଓ ୧୨୦ଦିନ ଭିତରେ ୩କୋଟି ୮୦ ଲକ୍ଷ ଟିକା ଯୋଗାଇବାର ସର୍ତ୍ତାବଳୀ ରଖାଯାଇଛି । ଧାର୍ଯ୍ୟ ଡୋଜ୍‌ର ୩୦ ପ୍ରତିଶତ ଟଙ୍କା ଆଗୁଆ ରାଜ୍ୟ ଔଷଧ ନିଗମ ପ୍ରଦାନ କରିବ ।

ସେହିପରି ଟିକା ପାଇବାର ୨ଦିନ ଭିତରେ ଶତ ପ୍ରତିଶତ ଟଙ୍କା କମ୍ପାନିକୁ ପ୍ରଦାନ କରାଯିବ । ତେବେ ଟେଣ୍ଡର୍‌ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ଟିକା କମ୍ପାନି ଡ୍ରଗ୍ କଣ୍ଟ୍ରୋଲର୍‌ ଅଫ୍‌ ଇଣ୍ଡିଆଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ହୋଇଥିବା ଦରକାର । ଭାରତରେ ଟିକା ପ୍ରସ୍ତୁତ କରୁଥିବା ସଂସ୍ଥା, ବିଦେଶରେ ପ୍ରସ୍ତୁତ ହୋଇଥିବା ଟିକାର ଭାରତରେ ପ୍ରସ୍ତୁତକାରୀ ସଂସ୍ଥା କିମ୍ବା ଭାରତକୁ ଆମଦାନି କରୁଥିବା ସଂସ୍ଥା ନିଜର ସମସ୍ତ କାଗଜପତ୍ର ପ୍ରଦାନ କରିବାକୁ ହେବ ।

ଔଷଧ ନିଗମ ପକ୍ଷରୁ ହୋଇଥିବା ଏହି ଗ୍ଲୋବାଲ ଟେଣ୍ଡରର ଅବଧି ୬ମାସ ରଖାଯାଇଛି । ଏହି ସମୟ ଭିତରେ ଆବେଦନ କରିଥିବା ସଂସ୍ଥା ନିଜର ଆବେଦନ ପ୍ରକ୍ରିୟାକୁ ଫେରାଇ ନେଇପାରିବେ ନାହିଁ । ଆବେଦନକାରୀ ସଂସ୍ଥା ଯଦି ପୂର୍ବ ନିର୍ଧାରିତ କୌଣସି ସର୍ତରେ ଖିଲାପ କରନ୍ତି, ତା’ହେଲେ ତାଙ୍କର ଆବେଦନକୁ ଖାରଜ କରିଦିଆଯିବ । ସେହିପରି ଟେଣ୍ଡର ସମୟରେ ଟିକା ଯୋଗାଣକାରୀ ସଂସ୍ଥା ପକ୍ଷରୁ ଧାର୍ଯ୍ୟ ଦରରେ ପରବର୍ତୀ ସମୟରେ କୌଣସି ପ୍ରକାର ପରିବର୍ତନ କରାଯାଇ ପାରିବନାହିଁ ।

ଔଷଧ ନିଗମ ପକ୍ଷରୁ ଯେତିକି ସଂଖ୍ୟକ ଟିକା ପାଇଁ ଟେଣ୍ଡର କରାଯିବ, ତାହାର ୫୦ ପ୍ରତିଶତ ଏଲ-୧ ପାଇଁ ସଂରକ୍ଷିତ ରହିବ । ବଳକା ୫୦ ପ୍ରତିଶତକୁ ନିଗମ ଅନ୍ୟ ଏକାଧିକ ଯୋଗ୍ୟ ବିବେଚିତ ସଂସ୍ଥାକୁ ଦେଇପାରିବ । ଚୁକ୍ତି ସ୍ବାକ୍ଷର ହେବାର ୧୨ମାସ ଭିତ‌ରେ ପୁନଃ ଅର୍ଡର କରିବାର କ୍ଷମତା ଔଷଧ ନିଗମ ନିକଟରେ ରହିବ । ଟିକା ଯୋଗାଣକାରୀ ସଂସ୍ଥାକୁ ପ୍ରତ୍ୟେକ ବ୍ୟାଚ୍‌ର ଇନଭଏସ୍‌ ସହିତ ସଂପୃକ୍ତ ବ୍ୟାଚ୍‌ର ଗୁଣବତ୍ତା ସାର୍ଟିଫିକେଟ୍ ପ୍ରଦାନ କରିବାକୁ ହେବ ।