ରାଜ୍ୟକୁ ଅଧିକ ସାର ଯୋଗାଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ଚାହିଦାର ୩୮% କମ ୟୁରିଆ ମିଳିଥିବାରୁ ଚାଷୀଙ୍କ ପାଇଁ ତୁରନ୍ତ ସାର ଯୋଗାଇଦେବାକୁ ଦାବି

126

କନକ ବ୍ୟୁରୋ : କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ଓଡିଶାକୁ ସାର ଯୋଗାଣ ନେଇ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଛନ୍ତି । ମେ, ଜୁନ୍ ଓ ଜୁଲାଇ ମାସରେ କମ୍ ସାର ଯୋଗାଣ ହୋଇଛି । ତୁରନ୍ତ ରାଜ୍ୟକୁ ଅଧିକ ସାର ଯୋଗାଇବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ ।

ଖରିଫ ଋତୁ ସମୟରେ ମାତ୍ର ୧,୪୫,୧୪୫ ମେଟ୍ରିକ୍ ଟନ୍ ସାର ମିଳିଛି । ଆବଶ୍ୟକ ଚାହିଦାର ମାତ୍ର ୬୨ % ୟୁରିଆ କେନ୍ଦ୍ର ଦେଇଛି । ଅନ୍ୟ ସାର ମାତ୍ର ୬୦ ରୁ ୭୨% ମିଳିଥିବା ଚିଠିରେ ଉଲ୍ଲେଖ । ବାତ୍ୟା ୟାସ୍ ପାଇଁ ରାଜ୍ୟର ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଉତ୍ପାଦନ ବଢାଇବା ପାଇଁ ଚାଷୀଙ୍କୁ ସାରର ଆବଶ୍ୟକ ରହିଛି । କମ୍ ସାର ଯୋଗାଣ ଚାଷ ଓ ଚାଷୀଙ୍କୁ ପ୍ରତିକୂଳ ପ୍ରଭାବ ପକାଉଛି ।

ସେହିପରି, ଆବଣ୍ଟନ ଅନୁସାରେ, ୧,୫୨,୦୦୦ ମେଟ୍ରିକ୍‌ ଟନ୍‌ ଡିଏପି ପାଇବାକୁ ଥିବାବେଳେ ଏଯାବତ୍ ରାଜ୍ୟ ମାତ୍ର ୯୭,୭୬୩ ମେଟ୍ରିକ୍‌ ଟନ୍‌ ଡିଏପି ପାଇଛି । ଏଥିରେ ମଧ୍ୟ ୧,୪୫,୦୦୦ ମେଟ୍ରିକ୍‌ ଟନ୍‌ ଡିଏପି ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଦେଇଥିବା ଯୋଗାଣ ପ୍ରସ୍ତାବରେ ମଧ୍ୟ ଓଡ଼ିଶା ସହମତି ପ୍ରକାଶ କରିଥିଲା । ଏହାଛଡ଼ା, ୬୭,୨୦୦ ମେଟ୍ରିକ୍‌ ଟନ୍‌ ଏମ୍ଓପି ଏବଂ ୧,୬୮,୪୦୦ ଏନ୍‌ପିକେଏସ୍‌ ଆବଣ୍ଟନ ହୋଇଥିଲେ ସୁଦ୍ଧା ରାଜ୍ୟ ୪୨,୮୬୭ ମେଟ୍ରିକ୍‌ ଟନ୍‌ ଏମ୍ଓପି ଏବଂ ୧,୦୫,୭୯୮ ମେଟ୍ରିକ୍‌ ଟନ୍‌ ଏନ୍‌ପିକେଏସ୍‌ ପାଇଛି । ଏଥିପାଇଁ ୬୦,୦୦୦ ମେଟ୍ରିକ୍‌ ଟନ୍‌ ଏମ୍ଓପି ଏବଂ ୧,୪୨,୦୦୦ ମେଟ୍ରିକ୍‌ ଟନ୍‌ ଏନ୍‌ପିକେଏସ୍‌ ଯୋଗାଣ ପ୍ରସ୍ତାବରେ ବି ରାଜ୍ୟ ଏକମତ ହୋଇଥିଲା ।