କରୋନା ମୁକାବିଲା ପାଇଁ ଗାଁକୁ ଗୁରୁତ୍ୱ ଦେଲେ ସରକାର । ୨୪ ମେ’ରୁ ଘର ଘର ବୁଲି ସର୍ଭେ । ସରପଞ୍ଚଙ୍କୁ ପୁଣି ମିଳିଲା ଜିଲ୍ଲାପାଳ କ୍ଷମତା ।

731

କନକ ବ୍ୟୁରୋ: ଦ୍ୱିତୀୟ ଲହରରେ ଗାଁକୁ ଗୁରୁତ୍ୱ ଦେଲେ ରାଜ୍ୟ ସରକାର । ଗାଁରେ ହୁ ହୁ ହୋଇ କରୋନା ବଢୁଥିବାରୁ ଏବେ ଫୋକସରେ ରହିବ ଗାଁ । ଗତ କିଛି ଦିନ ହେବ ରାଜ୍ୟର ଗାଁ ମାନଙ୍କରେ କରୋନା ଡେଇଁ ଡେଇଁ ଚାଲିଛି ଆଉ ୟାରି ଭିତରେ ଗାଁରେ କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକରେ ଗାଁକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଗାଁ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୨୪ ମେରୁ ୩ ମାସ ଯାଏଁ ସାରା ରାଜ୍ୟରେ ଘର ଘର ବୁଲି ସର୍ଭେ କରାଯିବ । କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସମ୍ପର୍କରେ ଏଏନଏମ ମାନେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ୧୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ।

ସେହିପରି କରୋନା ଲଢେଇରେ ସାମିଲ ହେବେ ଗାଁ କଲ୍ୟାଣ ସମିତି । ପ୍ରତି ଗାଁରେ ଥିବା କଲ୍ୟାଣ ସମିତିମାନଙ୍କୁ କୋଭିଡ ନିୟନ୍ତ୍ରଣ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

କେବଳ ଏତିକ ନୁହେଁ ସଙ୍ଗରୋଧ ତଦାରଖ ଦାୟିତ୍ୱରେ ଥିବା ଆଶାକର୍ମୀଙ୍କୁ ସାଇକେଲ, ଚପଲ, ଛତା, ଟର୍ଚ୍ଚ, କପବୋର୍ଡ ଆଦି ପାଇଁ ୧୦ ହଜାର ଟଙ୍କାର ସହାୟତା ଦିଆଦିବ । ତେବେ ସବୁଠାରୁ ବଡ କଥା ହେଲେ ସରପଞ୍ଚମାନଙ୍କୁ ପୁଣି ଜିଲ୍ଲାପାଳ କ୍ଷମତା ଦେଲେ ସରକାର । ପରିସ୍ଥିତି ଦେଖି ସରପଞ୍ଚମାନେ ଲକଡାଉନ କରିପାରିବେ, ଟିଏମସି ଖୋଲି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।