ମାଗଣାରେ ହେବ ପ୍ଲାଜମା ଥେରାପି । କରୋନା କବଳରୁ ମୁକ୍ତି ପାଇଁ ରାଜ୍ୟରେ ପ୍ଲାଜମା ଥେରାପି ଶୁଭାରମ୍ଭ କରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

935

କନକ ବ୍ୟୁରୋ: ମାଗଣାରେ ହେବ ପ୍ଲାଜମା ଥେରାପି । ରାଜ୍ୟରେ କରୋନା ରୋଗୀଙ୍କ ପ୍ଲାଜମା ଥେରାପି ମାଗଣାରେ କରାଯିବ । କରୋନା ମୁକାବିଲା ପାଇଁ ପ୍ଲାଜମା ଦାନ କରିବାକୁ ଆହ୍ୱାନ ଦେଲା ବେଳେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କୌଣସି ବି ପ୍ଲାଜମା ଥେରାପି ପାଇଁ ଦେୟ ଦେବାକୁ ପଡିବନି । ସରକାରଙ୍କ ଦ୍ୱାରା ଏହା ମାଗଣାରେ କରାଯିବ ।

ତେବେ କରୋନାକୁ ହରାଇବାକୁ ପ୍ଲାଜମା ଥେରାପି ବଡ ପ୍ରଭାବ ପକାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଭଳି ସ୍ଥଳରେ ଯୋଗ୍ୟବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି । ସ୍ୱେଚ୍ଛାକୃତ ଭାବେ ଆଗକୁ ଆସି ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ, ପ୍ରତି ଜୀବନ ବଞ୍ଚାଇବାକୁ ସରକାର ଚେଷ୍ଟା କରିବେ । ତେବେ ପ୍ଲାଜମା ଦାନ କରିଥିବା ୪ ଜଣ ଦାତାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।

ସେପଟେ ରାଜ୍ୟର କୌଣସି ଲୋକଙ୍କୁ ମେଡିକାଲ ସୁବିଧାରୁ ବଞ୍ଚିତ କରାଯିବନି ବୋଲି ମୁଖ୍ୟମନ୍ତ୍ରୀ ଆଜି ସ୍ପଷ୍ଟ କରିଛନ୍ତି । କରୋନା ପାଇଁ ମେଡିକାଲକୁ ଯିବାକୁ ରୋଗୀ ଡରୁଥିବା ବେଳେ କିଛି ସ୍ଥାନରେ ଡାକ୍ତର ଓ କର୍ମଚାରୀମାନେ ରୋଗୀଙ୍କ ଚିକିତ୍ସା ନକରି ଫେରାଇ ଦେଉଥିବା ଅଭିଯୋଗ ହୋଇଛି । ଆଉ ଏସବୁକୁ ଦେଖି କାହାରିକୁ ମେଡିକାଲ ସୁବିଧାରୁ ବଞ୍ଚିତ କରାଯିବନି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ତେବେ ପ୍ରାଥମିକ ପର୍ଯ୍ୟାୟରେ ଏସସିବି ମେଡିକାଲରେ ପ୍ଲାଜମା ଥେରାପି ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସମ୍, କିମ୍ସ ଏବଂ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ପ୍ରକ୍ରିୟା ଆରମ୍ଭ ହେବ ।