ଏଣିକି କାରଖାନାରୁ ବାହାରିବା ମନା! ଶିଳ୍ପାନୁଷ୍ଠାନର କୌଣସି କର୍ମଚାରୀଙ୍କୁ ବାହାରକୁ ନ ଯିବା ପାଇଁ ପ୍ରଶାସନର କଡା ନିର୍ଦ୍ଦେଶ

1,627

କନକ ବ୍ୟୁରୋ: ପରିଶେଷରେ କଠୋର ହୋଇଛି ଜିଲ୍ଲା ପ୍ରଶାସନ। କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ନ ଥିଲେ ହେଁ ଏଣିକି କାରଖାନା ପରିସରରେ ରହୁଥିବା କୌଣସି କର୍ମଚାରୀ କିମ୍ବା ସେମାନଙ୍କ ପରିବାର ସଦସ୍ୟଙ୍କୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। କେବଳ ଜରୁରୀ କାମ ଥିଲେ ଅନୁମତି ନେଇ ଅନୁଗୁଳ ସହରରୁ ଆସିବା ପାଇଁ କୁହାଯାଇଛି। ଜିଲ୍ଲାପାଳ ଏହି ମର୍ମରେ ନାଲକୋ, ଏନଟିପିସି, ଟିଏସଟିପିଏସ୍, ଟିଟିପିଏସ୍, ଏମସିଏଲ୍, ଟିଏଫଏଲ୍, ଜେଏସ୍ପିଏଲ୍, ଜେଆଇଟିପିଏଲ୍, ଟାଟା ଷ୍ଟିଲ୍ ବିଏସଏଲ୍, ହେଭି ୱାଟର ପ୍ରୋଜେକ୍ଟ, ଏଫସିଆଇ ଆଦି ଶିଳ୍ପାନୁଷ୍ଠାନର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି।

ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଶିଳ୍ପାନୁଷ୍ଠାନର କୌଣସି କର୍ମଚାରୀ କିମ୍ବା କାରଖାନା ପରିସରରେ କର୍ମଚାରୀମାନଙ୍କ ପରିବାର ସଦସ୍ୟଙ୍କୁ ବାହାରକୁ ବାହାରିବାକୁ ନଦେବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଖାନା ଚଳାଇବା ପାଇଁ ଯେତିକି କର୍ମଚାରୀ ଆବଶ୍ୟକ ସେମାନଙ୍କୁ କାରଖାନା ପରିସରରେ ରଖିବା ବ୍ୟବସ୍ଥା କରିବାକୁ କୁହାଯାଇଛି। ବାହାରୁ କାରଖାନାକୁ ଯାଉଥିବା କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା ଏବଂ ସେମାନଙ୍କ ଯିବା ଆସିବାବେଳେ ଥର୍ମାଲ ସ୍କ୍ରାନିଂ କରିବାକୁ କୁହାଯାଇଛି। କୋଭିଡ୍ ଲକ୍ଷଣ ଥିଲେ ସଂଗେସଂଗେ ଜିଲ୍ଲା ପ୍ରଶାସନକୁ ସୂଚନା ଦେବାକୁ କୁହାଯାଇଛି। ବାହାରୁ ଯାଉଥିବା କର୍ମଚାରୀମାନଙ୍କୁ ଅନ୍ୟ କର୍ମଚାରୀମାନଙ୍କଠାରୁ ଅଲଗା ରଖି କାମ ଦେବାକୁ କୁହାଯାଇଛି।

କେବଳ ସେତିକି ନୁହେଁ, ସେମାନଙ୍କ ଯିବା ଆସିବା ପାଇଁ ଅଲଗା ଗେଟ୍ ବ୍ୟବସ୍ଥା କରିବାକୁ ବି କୁହାଯାଇଛି। କାରଖାନା ପରିସରରେ ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ପିନ୍ଧିବା, ହାତ ଧୋଇବା ବ୍ୟବସ୍ଥା କରିବା ବାଧ୍ୟତାମୂଳକ କରାଯାଇଛି। ଏହାର ଉଲ୍ଲଂଘନ ହେଲେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ ବୋଲି ଜିଲ୍ଲାପାଳ ସତର୍କ କରିଦେଇଛନ୍ତି। ଜିଲ୍ଲାପାଳ ଆଗରୁ ବି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେବାକୁ ଶିଳ୍ପାନୁଷ୍ଠାନ ମୁଖ୍ୟମାନଙ୍କୁ ଚିଠି କରିଛନ୍ତି। ହେଲେ ଶିଳ୍ପାନୁଷ୍ଠାନ କତ୍ତୃର୍ପକ୍ଷ ବାରମ୍ବାର ଏହାର ଉଲ୍ଲଂଘନ କରିଆସୁଛନ୍ତି। ଫଳରେ ଅନୁଗୁଳ ଜିଲ୍ଲାରେ ସ୍ଥିତି ଭୟଙ୍କର ହେବାକୁ ଯାଉଛି।