ଓଡ଼ିଶା କରୁଛି କରୋନା ମୁକାବିଲା: କାହିଁକି ସୀମାକୁ ସିଲ୍ କରୁ ନାହାନ୍ତି ସରକାର? ଜଗିବାରେ କେଉଁଠି ରହିଛି ସମସ୍ୟା? ଲୋକଙ୍କ ମନର ଦ୍ୱନ୍ଦ୍ୱ ଦୂରକଲେ ବାଗଚୀ…

745

କନକ ବ୍ୟୁରୋ: ଯେତେବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଏବଂ ପରେ ସେହି ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ନେଇ ସାଧାରଣ ଲୋଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଠୁଛି । ସେ ସୀମାପାର ହୋଇ କେମିତି ଆସୁଛନ୍ତି? ରାଜ୍ୟର ସୀମାକୁ ସିଲ୍ କାହିଁକି କରାଯାଉ ନାହିଁ ଏବଂ ପୋଲିସ କର୍ମୀ କ’ଣ କରୁଛନ୍ତି? ଏଭଳି ଅନେକ ପ୍ରଶ୍ନ ଲୋକମାନେ ପଚାରୁଛନ୍ତି । ସେହି ଦ୍ୱନ୍ଦକୁ ଦୂର କରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ସୁବ୍ରତ ବାଗଚୀଙ୍କ କହିବା ମୁତାବକ, ଓଡ଼ିଶା ସୀମାକୁ ସିଲ୍ କରିବା ବା ସେଠାରେ ପର୍ଯ୍ୟପ୍ତ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବା ସମ୍ଭବ ନୁହେଁ । କାରଣ ସୀମାକୁ ଲାଗି ରହିଥିବା ୪ଟି ରାଜ୍ୟ ଯଥା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରୁ ଆମ ରାଜ୍ୟକୁ ମାଲବାହୀ ଗାଡ଼ି ଯୋଗେ ଖାଦ୍ୟ ସାମଗ୍ରୀ ଆସୁଛି । ଯାହା ଦ୍ୱାରା ଲକଡାଉନ୍ ସମୟରେ ରାଜ୍ୟ-ରାଜ୍ୟ ମାନଙ୍କ ମଧ୍ୟରେ ସମନ୍ୱୟତା ବଜାୟ ରହି ଖାଦ୍ୟ ସାମଗ୍ରୀ ନେବା ଆଣିବା କରାଯାଉଛି ।

କ’ଣ କହୁଛି ଓଡ଼ିଶା ସୀମା ରେଖାର ଅବସ୍ଥିତି

ପଶ୍ଚିମବଙ୍ଗ ସୀମାକୁ ଲାଗି ରହିଥିବା ଓଡ଼ିଶାର ନିକଟସ୍ଥ ଜିଲ୍ଲା ବାଲେଶ୍ୱର ଏବଂ ମୟୂରଭଞ୍ଜ ଏବଂ ଏହାର ଅବଧି ବା ପରିଧି ପାଖାପାଖି ୨୦୨ କିଲୋମିଟର । ସେହିଭଳି ଝାଡ଼ଖଣ୍ଡ ସୀମାକୁ ଲାଗି ରହିଥିବା ଜିଲ୍ଲା- ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ । ଆଉ ଏହି ୩ଟି ଜିଲ୍ଲାର ପରିଧି ୫୯୧ କିଲୋମିଟର । ଅନ୍ୟପଟେ ଛତିଶଗଡ଼ ସୀମାକୁ ଲାଗି ରହିଛି ଓଡ଼ିଶାର ୮ଟି ଜିଲ୍ଲା । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି । ଏହାର ପରିଧି ୧ ହଜାର ୨୨୬ କିମି ରହିଛି ।

ସେହିଭଳି ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଥିବା ଓଡ଼ିଶାର ୫ଟି ଜିଲ୍ଲା ମଧ୍ୟରେ ଅଛି-କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ୧ହଜାର ୨୪ କିଲୋମିଟର । ଏହାବାଦ ସମୂଦ୍ରତଟ କଥା ଯଦି ଦେଖିବା, ଜିଆଏସ୍ ତଥ୍ୟ ମ୍ୟାପିଂ ଅନୁଯାୟୀ ପ୍ରାୟ ୫୨୨ କିମି । ଏହି ସବୁ ସୀମାକୁ କୌଣସି ପୋଲିସ୍ ଆରକ୍ଷୀ ଏହାକୁ ଅଟକାଇ ପାରିବେ ନାହିଁ । କାରଣ ଏହି ସ୍ଥଳଭାଗ ସୀମା ଅଧିକାଂଶ ଜଙ୍ଗଲରେ ପରିପୂର୍ଣ୍ଣ । ତେଣୁ ଏହାକୁ ତନତନ କରି ଜଗିବା ସମ୍ଭବ ହେବ ନାହିଁ । ତେବେ ଏଭଳି ସ୍ଥିତିକୁ ବା ଆସୁଥିବା ଲୋକଙ୍କୁ ସଙ୍ଗରୋଧ କରିବାକୁ ପଞ୍ଚାୟତ ପ୍ରତିନିଧିମାନେ ହିଁ ଆମ ବଳ । ତେଣୁ ସେମାନଙ୍କୁ ସହଯୋଗ କରନ୍ତୁ ବୋଲି କହିଛନ୍ତି ସୁବ୍ରତ ବାଗଚୀ ।