ଓଡ଼ିଶା କରୁଛି କରୋନା ମୁକାବିଲା: ଚିନ୍ତା ବଢାଇଲେ ରାଜ୍ୟର ପଂଚମ କରୋନା ଆକ୍ରାନ୍ତ, ସଂକ୍ରମଣକୁ ରୋକିବା ପାଇଁ ଅଧିକ ସତର୍କତା ଆପଣାଇଲେ ସରକାର ।

1,365

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ଚାରିଟି କରୋନା ସଂକ୍ରମଣ ମାମଲାରେ ଥିଲା ବିଦେଶ ଲିଙ୍କ । ଅର୍ଥାତ କରୋନା ସଂକ୍ରମିତ ଦେଶରୁ ଫେରିଥିବାରୁ ଏମାନଙ୍କଠାରେ କୋଭିଡ-୧୯ ପଜିଟିଭ ଦେଖାଯାଇଥିଲା । ହେଲେ ଗୁରୁବାର ଚିହ୍ନଟ ହୋଇଥିବା ପଂଚମ ଆକ୍ରାନ୍ତଙ୍କ ସେଭଳି କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ଅର୍ଥାତ ସେ ବିଦେଶରୁ ଫେରିନାହାନ୍ତି କିମ୍ବା ରାଜ୍ୟ ବାହରକୁ ମଧ୍ୟ ଯାଇ ନାହାନ୍ତି । ତେଣୁ ସରକାରଙ୍କ ଚିନ୍ତା ବଢାଇ ଦେଇଛନ୍ତି ଏହି ପଂଚମ କରୋନା ଆକ୍ରାନ୍ତ ।

ଭାରତରେ ଏପର୍ଯ୍ୟନ୍ତ କମ୍ୟୁନିଟି ଟ୍ରାନ୍ସମିଶନ ବା କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇନଥିବା କୁହାଯାଉଛି । କିନ୍ତୁ ଯେତେବେଳେ ଜଣେ ଆକ୍ରାନ୍ତ, କରୋନା ସଂକ୍ରମିତ ଦେଶକୁ ଯାଇନଥାନ୍ତି କିମ୍ବା ଆକ୍ରାନ୍ତଙ୍କ ସିଧାସଳଖ ସଂସ୍ପର୍ଶରେ ଆସିନଥାନ୍ତି ଏବଂ ସଂକ୍ରମଣର ଶିକାର ହୁଅନ୍ତି ତାକୁ ଗୋଷ୍ଠୀ ସଂକ୍ରମଣର ସଂକେତ ବୋଲି ବିଚାର କରାଯିବ ।

ଆଶଙ୍କା କରାଯାଉଛି ରାଜ୍ୟରେ ପଂଚମ ଆକ୍ରାନ୍ତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବାରୁ ଏହାକୁ ଗୋଷ୍ଠୀ ସଂକ୍ରମଣ ବୋଲି ବିଚାର କରୁନାହାନ୍ତି ତ ସରକାର? ତେଣୁ ଏହି ସପ୍ତାହଟି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଅର୍ଥାତ ଯେଉଁ ଅଜଣା ବ୍ୟକ୍ତିଙ୍କଠାରୁ ପଂଚମ ଆକ୍ରାନ୍ତ ଜଣକ ସଂକ୍ରମିତ ହୋଇଛନ୍ତି ତାଙ୍କୁ ଖୋଜି ବାହାର କରିବାକୁ ଚାହୁଁଛନ୍ତି ସରକାର । ସେହିପରି ତାଙ୍କ ସଂସ୍ପର୍ଶରେ ଆସି ଆଉ କେଉଁମାନେ ସଂକ୍ରମଣକୁ ଆଗକୁ ବଢାଇବାର ଆଶଙ୍କା ରହିଛି ତାକୁ ମଧ୍ୟ ଖୋଜି ବାହାର କରିବା ଜରୁରୀ ହୋଇପଡିଛି ।

ଭୁବନେଶ୍ୱର ସୂର୍ଯ୍ୟନଗର ଅଂଚଳରେ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଅବରୋଧ ଅଂଚଳ ଘୋଷଣା କରି ତୁରନ୍ତ ପଦକ୍ଷେପ ନେଇଛି ବିଏମସି । ସଂପୃକ୍ତ ଅଂଚଳରେ କେହି ବାହାର ଲୋକ ପଶିପାରିବେ ନାହିଁ କିମ୍ବା ଭିତରର ଲୋକ ବାହାରକୁ ଆସିପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି । ସମ୍ଭାବ୍ୟ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପୁରା ଅଂଚଳରେ ରସାୟନିକ ବିଶୋଧନ କରାଯାଇଛି । ପରିସ୍ଥିତିର ଗୁରୁତ୍ୱକୁ ଦେଖି ସମଗ୍ର ଭୁବନେଶ୍ୱରରେ ୪୮ ଘଂଟିଆ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି ।