ସ୍ୱଚ୍ଛତାକୁ ଅସ୍ତ୍ର କଲା ଓଡ଼ିଶା । ଓଡିଶାର ବିଭିନ୍ନ ସ୍ଥାନରେ ସିଞ୍ଚନ କରାଗଲା ରାସାୟନିକ ବିଶୋଧନ, କରୋନାକୁ ହରାଇବା ପାଇଁ ସଚେତନ ହେଉଛନ୍ତି ଜନତା ।

729

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ କୌଣସି ମେଡିସିନ୍ ବାହାରି ନଥିବାବେଳେ ସ୍ୱଚ୍ଛତା ଓ ସଚେତନତାକୁ ଅସ୍ତ୍ର କରିଛି ସାରା ଓଡ଼ିଶା । ଏହି ମର୍ମରେ ଭୁବନେଶ୍ୱରର ବିଭିନ୍ନ ଅଂଚଳକୁ ବି ସାନିଟାଇଜ କରିବା କାମ ଜାରି ରହିଛି । ଅଗ୍ନିଶମ ବିଭାଗ ପକ୍ଷରୁ ସହରର ୟୁନିଟ-୬, କ୍ୟାପିଟାଲ ହସ୍ପିଟାଲ ଚାରିପାଖ ଓ ସୂର୍ଯ୍ୟନଗର ଅଂଚଳରେ ସାନିଟାଇଜ ସ୍ପ୍ରେ କରାଯାଇଛି । ଗତ ୩ ଦିନ ହେଲା ରାଜଧାନୀର ବିଭିନ୍ନ ସ୍ଥାନରେ ଏହି ବିଶୋଧନ କାମ ହାତକୁ ନିଆଯାଇଛି ।

ଅନ୍ୟପଟେ ବ୍ରହ୍ମପୁର ସହରର ବଡ ମେଡିକାଲକୁ ସାନିଟାଇଜ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ମେଡିକାଲକୁ ବିଶୋଧନ କରାଯାଇଛି । ଆଜି ସକାଳ ୧୦ଟାରୁ ସହରର ବିଭିନ୍ନ ସ୍ଥାନରେ ସାନିଟାଇଜ କରାଯାଇଛି । ସେହିପରି ରାଉରକେଲାରେ ମଧ୍ୟ ବିଶୋଧନ ପ୍ରକ୍ରିୟା ଆରମ୍ଭ । ଆରଏମସି ଓ ଆରଏସପି ପକ୍ଷରୁ ସହରରେ ବିଶୋଧନ କରାଯାଇଛି । ମହାନଗର ନିଗମ ଅଂଚଳରେ ଅଗ୍ନିଶମ ବିଭାଗ ସାମିଲ ହୋଇଥିବା ବେଳେ ଷ୍ଟିଲ ଟାଉନସିପ ଓ କାରଖାନା ଭିତରେ ଆରଏସପି ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ବିଶୋଧନ କରାଯାଇଛି । ରାସାୟନିକ ବିଶୋଧନ, ବ୍ଲିଚିଂ ସିଂଚନ କରାଯାଇ ରାସ୍ତ ଘାଟକୁ ବିଶୋଧନ କରାଯାଇଛି ।

ସେପଟେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ତତ୍ପର ହୋଇଛି ଯାଜପୁର ଜିଲ୍ଲା ପ୍ରଶାସନ । ଲକ ଡାଉନର ନବମ ଦିନରେ ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ପ୍ରଭାକର ସାହୁଙ୍କ ନେତୃତ୍ୱରେ ଜିଲ୍ଳାର ପ୍ରବେଶ ଦ୍ୱାର ଚଣ୍ଡିଖୋଲ ବଜାରକୁ ବ୍ଲିଚିଂ ପାଉଡର ପାଣି ସିଂଚନ କରାଯାଇ ବିଶୋଧନ କରାଯାଇଛି । ପର୍ଯ୍ୟାୟକ୍ରମେ ବଡଚଣା ଡାକ୍ତରଖାନ, ମହାବିନାୟକ ମନ୍ଦିରକୁ ମଧ୍ୟ ବିଶୋଧନ କରିବାକୁ ପ୍ରସ୍ତୁତ ଜିଲ୍ଲାପ୍ରଶାସନ । ତେବେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଧର୍ମଶାଳା ତହସିଲାଦାର ସରୋଜ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଧର୍ମଶାଳା ଗୋଷ୍ଠିିସ୍ୱାସ୍ଥ୍ୟକେନ୍ଦ୍ର ,ଧର୍ମଶାଳା ତହସିଲ କାଯ୍ୟାଳୟକୁ ବିଶୋଧନ କରାଇଛନ୍ତି । ଆଗାମୀ ଦିନରେ ଧର୍ମଶାଳା ଅଂଚଳର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ମୁଖ୍ୟ ଜନଗହଳି ରାସ୍ତାଗୁଡିକୁ ସାନିଟାଇଜ କରାଯିବାର କାର୍ଯ୍ୟକ୍ରମ ରହିଛି ।