ସଂକ୍ରମଣ ରୋକିବ ସାନିଟାଇଜ୍ । ସ୍ୱସ୍ଥତାକୁ ଅସ୍ତ୍ର କରି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ରସାୟନିକ ବିଶୋଧନ, ଭୂତାଣୁକୁ ଦୂରେଇବା ପାଇଁ ଦରକାର ସାମାଜିକ ଦୂରତା ।

398

କନକ ବ୍ୟୁରୋ: ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଲକ ଡାଉନ୍ ଅବଧୀ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏହି ସମୟରେ ସାମାଜିକ ଦୁରତା ଉପରେ ବିଶେଷ ଧାନ୍ୟ ଦେବା ସହ ରସାୟନିକ ବିଶୋଧନ ଉପରେ ଗୁରୁତ୍ୱ ଦିଆଯାଉଛି ।

ବିଶୋଧିତ ହେଲା ଶ୍ରୀମନ୍ଦିର । ପୁରୀରେ ବିଶୋଧନ ପ୍ରକ୍ରିୟାକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ । ଶ୍ରୀମନ୍ଦିର ସମେତ ରଥଖଳା ଓ ମନ୍ଦିରର ଆଖପାଖ ଅଂଚଳରେ ସୋଡିୟମ୍ ହାଇପୋ କ୍ଲୋରାଇଟ୍ ଯୁକ୍ତ ପାଣି ସିଂଚନ କରାଯାଇଛି । କରୋନା ପାଇଁ ଏବେ ମନ୍ଦିରରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିଛି, ହେଲେ ଭିତରେ ନୀତିକାନ୍ତି ଚାଲିଛି । ଆଉ ଏହାରି ଭିତରେ ଶ୍ରୀକ୍ଷେତ୍ରକୁ ବିଶୋଧନ କରୁଛି ଅଗ୍ନିଶମ ବିଭାଗ । ଏହି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ । ପର୍ଯ୍ୟାୟ କ୍ରମେ ବଡଦାଣ୍ଡ, ଥାନା ଏବଂ ପୁରା ସହରରେ ରସାୟନିକ ବିଶୋଧନ କରାଯିବ ।

ଭୁତାଣୁ ମୁକ୍ତ ହେବ ମାଲକାନଗିରିରେ ଜିଲ୍ଲାପାଳଙ୍କ ଅଫିସ, କାରାଗାର, ଥାନା ଓ ଜିଲ୍ଲାର ପ୍ରମୁଖ କାର୍ଯ୍ୟାଳୟ । ଏଥିପାଇଁ ଜିଲ୍ଲା ପ୍ରଶାସନର ପ୍ରମୁଖ କାର୍ଯ୍ୟାଳୟ ଗୁଡିକୁ ପର୍ଯ୍ୟାୟକ୍ରମେ ବିଶୋଧନ କରିଛି ଅଗ୍ନିଶମ ବିଭାଗ । ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଭିତର ଓ ବାହାର ପାଶ୍ୱର୍କୁ ସାନିଟାଇଜ କରାଯାଇଥିଲା । ପରେ ଜେଲ, ଡାକ୍ତରଖାନା ଓ ରାସ୍ତା ଘାଟକୁ ସାନିଟାଇଜ୍ କରାଯାଇଛି ।

ସେପଟେ ଗଂଜାମ ଜିଲ୍ଲାରେ ବି ବିଶୋଧନ ପ୍ରକ୍ରିୟ ଜାରି ରହିଛି । ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସିକା ଉପଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରସାୟନିକ ସଂଚନ କରି ପୁରା ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଚେଷ୍ଟା କରିଛନ୍ତି । କେନ୍ଦ୍ରପାଡା ମହାକାଳପଡାରେ ବ୍ଳକ୍ ଅଫିସ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଥାନା ଓ ତହସିଲ୍ ପରିସରକୁ ଲିକ୍ୟୁଡି କ୍ଲୋରିନ ଯୁକ୍ତ ପାଣିରେ ବିଶୋଧନ କରାଯାଇଛି ।