ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ବିପଦର ବନ୍ଧୁ କାର୍ଯ୍ୟକ୍ରମ ଜାରି । ପ୍ରତ୍ୟେକ ଦିନ ଭୋକିଲାଙ୍କ ପେଟପୂରା କରିବାକୁ ପ୍ରୟାସ । କରୋନା ଲଢ଼େଇରେ ଅସହାୟଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ ପୂର୍ବତନ ବିଧାୟକଙ୍କ ପୁଅ ।

334

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ନେଇ ଯେଉଁ ବିପଦ ଆସିଛି, ଏହାର ମୁକାବିଲା ଚାଲିଥିବା ବେଳ ସବୁଠୁ ଜରୁରୀ ହୋଇପଡିଛି ଭୋକିଲାଙ୍କ ପେଟ ଚିହ୍ନିବା । ଏହି କ୍ରମରେ ସମ୍ବାଦ ଓ କନକ ନ୍ୟୁଜ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ ବିପଦର ବନ୍ଧୁ । ଆଜି ମଧ୍ୟ ଏମିତି କିଛି ଭୋକିଲା ପେଟକୁ ଚିହ୍ନି ଖାଇବାକୁ ଦେଇଥିଲେ ଏହି ବିପଦର ବନ୍ଧୁମାନେ ।

ଆଜି ଭୁବନେଶ୍ୱରର ସତ୍ୟବିହାର ଅଂଚଳରେ ୧୦୦ରୁ ଅଧିକ ଲୋକଙ୍କୁ ଖାଦ୍ୟ ପୁଡିଆ ଦିଆଯାଇଥିଲା । ସମ୍ବାଦ କନକ ନ୍ୟୁଜ ସହିତ ଯୋଡି ହୋଇଥିଲା ଏ କେ ଦାସ ଆସୋସିଏଟସ ଏବଂ ବିଏମସି । ସତ୍ୟବିହାରକୁ ଛାଡିଦେଲେ ରସୁଲଗଡ, ମଂଚେଶ୍ୱର ଏବଂ ହଂସପାଳ ଅଂଚଳରେ ଅସହାୟମାନଙ୍କୁ ଦିଆଯାଇଥିଲା ଖାଦ୍ୟ । ସେହିଭଳି ସମ୍ବାଦ-କନକ ନ୍ୟୁଜର ବିପଦର ବନ୍ଧୁ ଅଭିଯାନରେ ଅନୁପ୍ରାଣିତ ହୋଇ ପିପିଲି ଅଂଚଳରେ ବସ୍ତିବାସିନ୍ଦାଙ୍କୁ ବଂଟା ଯାଇଛି ଖାଦ୍ୟ ପୁଡିଆ । ଏଠାକାର ଲୋକମାନଙ୍କର ବିପଦର ବନ୍ଧୁ ସାଜିଛନ୍ତି ପୂର୍ବତନ ବିଧାୟକଙ୍କ ପୁଅ ବିକାଶ ଚନ୍ଦ୍ର ପଟ୍ଟନାୟକ ।

ସେହିଭଳି ପୂର୍ବା ଶାସନ ଶବର ସାହିରେ ମଧ୍ୟ ଅସହାୟଙ୍କ ପାଇଁ ବିପଦର ବନ୍ଧୁ ସାଜିଛି ସମ୍ବାଦ-କନକ ନ୍ୟୁଜ । ଏଠାରେ ରହୁଛନ୍ତି ୫୦ରୁ ଅଧିକ ପରିବାର । ତାଲା ବନ୍ଦ ଯୋଗୁଁ ହାତ ବାନ୍ଧି ବସିଛନ୍ତି, କାରଣ ସମସ୍ତେ ଶ୍ରମିକ ଶ୍ରେଣୀର । ଅସହାୟ ଅବସ୍ଥାରେ ଥିବା ଏହି ବସ୍ତିବାସିନ୍ଦାଙ୍କ ପାଖରେ ପହଂଚିଛି ସହାୟତା ।

ବିପଦ ସମୟରେ ଏତିକି ସହାୟତା ମିଳିଥିବାରୁ ବସ୍ତିବାସିନ୍ଦା ମଧ୍ୟ ଖୁସି ଜାହିର କରିଛନ୍ତି । ବିପଦ ସମୟର ବନ୍ଧୁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯଦି ଆପଣ ଏହି ଅଭିଯାନରେ ସାମିଲ ହେବାକୁ ଚାହୁଁଛନ୍ତି, ତେବେ ଆଗେଇ ଆସନ୍ତୁ । ନିରାଶ୍ରୟଙ୍କ ଏହି ବିପଦ ବେଳେ ବନ୍ଧୁ ସାଜନ୍ତୁ, ମାନବିକତା ଦେଖାନ୍ତୁ ।