କରୋନା ମୁକାବିଲାରେ ଓଡ଼ିଶା ଆଗୁଆ । କୋଭିଡ୍ ହସ୍ପିଟାଲ ଗୁଡ଼ିକରେ ୩ହଜାରରୁ ଅଧିକ ଶଯ୍ୟା ପ୍ରସ୍ତୁତ, କିନ୍ତୁ ୪୧ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୨ ଜଣଙ୍କୁ ଏହାର ଆବଶ୍ୟକତା ରହିଛି ।

773

କନକ ବ୍ୟୁରୋ: କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ଅନେକ ଉଦାହରଣ ସୃଷ୍ଟି କରିଛି । କମ୍ ସମୟ ମଧ୍ୟରେ ଜନସ୍ୱାସ୍ଥ୍ୟ ସେବାରେ ଏତେ ବଡ଼ ଭିତ୍ତିଭୂମି ବ୍ୟବସ୍ଥା ଓଡ଼ିଶା ଇତିହାରେ ହୋଇନଥିଲା । ବର୍ତ୍ତମାନ ରାଜ୍ୟରେ କୋଭିଡ୍ ହସ୍ପିଟାଲ ଗୁଡ଼ିକରେ ୩ ହଜାରରୁ ଅଧିକ ବେଡ୍ ପ୍ରସ୍ତୁତ ରହିଥଛି । କିନ୍ତୁ ରାଜ୍ୟରେ ମାତ୍ର ୪୧ ସକ୍ରିୟ କରୋନା ଆକ୍ରାନ୍ତ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ଦୁଇ ଜଣଙ୍କୁ ହସ୍ପିଟାଲ ଆବଶ୍ୟକ । ଏପରିକି ଜଣକ ନମୂନା ନେଗେଟିଭ୍ ମଧ୍ୟ ଆସି ସାରିଛି କିନ୍ତୁ ତାଙ୍କ ଦେହରେ ଅନ୍ୟ ରୋଗ ଲକ୍ଷଣ ଥିବାରୁ ତାଙ୍କୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବୋଲି ଧରା ଯିବ ନାହିଁ ବୋଲି କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ସବୁଠାରୁ ବଡ଼ କଥା ହେଲା, କଣ୍ଟେନମେଣ୍ଟ ଅଞ୍ଚଳରେ ଯଦି ଆପଣ ରହୁଛନ୍ତି ତେବେ ଦେହରେ ଲକ୍ଷଣ ଥାଉ କିନଥାଉ ଆପଣ ସ୍ୱଇଚ୍ଛାରେ କୋଭିଡ୍ ଟେଷ୍ଟ କରାନ୍ତୁ । କଣ୍ଟେନମେଣ୍ଟ କଟକଣା ଆପଣଙ୍କୁ କଷ୍ଟ ଦେଉଥିବ କିନ୍ତୁ ଏହା ଆପଣଙ୍କ ପରିବାର ଏବଂ ଆପଣଙ୍କ ପାଇଁ ଲାଭ ଦାୟକ । ତେବେ ପ୍ରତୀଦିନର ଲକଡାଉନ୍ ଆମକୁ ପ୍ରସ୍ତୁତି ପାଇଁ ସମୟ ଦେଉଛି । କୋଭିଡ୍ ହସ୍ପିଟାଲରେ ୩ ହଜାରରୁ ଉଦ୍ଧ୍ୱର୍ ଶଯ୍ୟା ପ୍ରସ୍ତୁତି ହୋଇ ରହିଥିବାବେଳେ ଆମେ ୪୧ ପଜିଟିଭ୍ ରେ ସୀମିତ ରହିଛୁ ।

ସେପଟେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର କହିଛନ୍ତି କି, ଅଧିକ ସଂଖ୍ୟକ ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱ ଦେଇଛନ୍ତି । ଏପରିକି ୬ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ୩ଟି ଜୋନର ଦାୟିତ୍ୱ ଦିଆଯାଇଛି । ସବୁ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଥିବାବେଳେ କରୋନାକୁ ବନ୍ଦୀ କରି ରଖିଛନ୍ତି ଓଡ଼ିଶାବାସୀ । ଶୃଙ୍ଖଳା ଏବଂ ସଚେତନତା ପାଇଁ ହିଁ ଆମେ ଏକ ପରିବର୍ତ୍ତନଶୀଳ ଦିଗରେ ଆଗାଉଛୁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।