କରୋନା କଟକଣା, ଚାଷୀ ପାଇଁ କାଳ! ପନିପରିବା ଚାଷୀଙ୍କ ଆଶା ଆକାଂକ୍ଷାକୁ ଧୂଳିସାତ କରି ଦେଇଛି ଲକ ଡାଉନ୍ । ଗାଡ଼ି ଗଡୁନଥିବାରୁ ପରିବା ବିକ୍ରି କରିପାରୁନି ଚାଷୀ ।

164

କନକ ବ୍ୟୁରୋ: କରୋନା ପାଇଁ କଟକଣା, ଚାଷୀ ପାଇଁ କାଳ । ବିଶେଷ କରି ପନିପରିବା ଚାଷୀଙ୍କ ଆଶା ଆକାଂକ୍ଷାକୁ ଧୂଳିସାତ କରି ଦେଇଛି ଲକ ଡାଉନ୍ । ତାଲା ବନ୍ଦର ପ୍ରଭାବ ଚାଷୀର ପରିବା ବିଲକୁ ଦେଖିଲେ ବେଶ୍ ବାରି ହୋଇପଡୁଛି । ଅମଳ ପରିବା ବିକ୍ରି ହୋଇପାରୁନଥିବାରୁ କେଉଁଠି ବିଲରେ ବାଇଗଣ ଶୁଖୁଛି ତ ଆଉ କେଉଁଠି ଗଛରେ ସଢି ଗଲାଣି ଟମାଟୋ ।

ଭୂତାଣୁ କବଳରୁ ବର୍ତିବା ପାଇଁ ସରକାରଙ୍କ କଟକଣା ଏତେ ମାତ୍ରାରେ ପ୍ରଭାବିତ କରିବ ତା ହୁଏତ କେବେ କଳ୍ପନା କରିନଥିଲେ ଚାଷୀ । ଯାହାକୁ ଭରସା କରି ଚାଷୀ ବର୍ଷଟିଏ ଚଳିବ ବୋଲି ଆଶା କରିଥିଲେ ତାହା ଏବେ ବିଲରେ ହିଁ ନଷ୍ଟ ହେଉଛି । ଗଛରେ ହଳଦିଆ ପଡିଗଲାଣି ବାଇଗଣ । ବିକ୍ରିବଟାର ସୁବିଧା ନଥିବାରୁ ପାଚି ଗଲାଣି କଂଚା ଲଙ୍କା । ପୋଟଳ, କଖାରୁ, ଟମୋଟୋ, କନ୍ଦମୂଳ, ଝୁଡଙ୍ଗ ଭଳି ପରିବା ଚାଷ କରି ପରିବାର ପେଟ ପୋଷିବାକୁ ଆଶା ରଖିଥିଲେ ଯାଜପୁର ରସୁଲପୁର ବ୍ଲକ ଓଡିଶୋ, ଅଣ୍ଡେଇଗୋଡ, ଦନେଇପୁର, ବ୍ରହ୍ମଣବାଡ, ଅର୍ତିଆ, କୁସୁନପୁର, ବାରବାଟିର ଚାଷୀ । ହେଲେ ତାଲା ବନ୍ଦ ଯୋଗୁଁ ବଜାର ନାହିଁ କି ବେପାରୀ ଆସୁନାହାନ୍ତି । ତେଣୁ ଲାଭ ମିଳିବ କଣ ମୂଳ ବି ମିଳୁନାହିଁ

ଲକ ଡାଉନ୍ରେ ଲକ ହୋଇଯାଇଛି ଚାଷୀଙ୍କ ଭାଗ୍ୟ । ତାଲା ବନ୍ଦ ଯୋଗୁଁ ବିକ୍ରି ହୋଇ ପାରୁନାହିଁ ଚାଷୀଙ୍କ ଉତ୍ପାଦିକ ଫସଲ । ଗାଁକୁ ବ୍ୟବସାୟୀ ଆସୁନଥିବା ବେଳେ ଫସଲ ପରିବହନ ପାଇଁ ଗାଡି ଚାଳକ ରାଜି ହେଉନାହନ୍ତି । ସେପଟେ ଚାଷୀଙ୍କ ପାଇଁ ନିୟମ କୋହଳ କରାଯାଇଛି, ସେମାନେ ବଜାରକୁ ଯାଉ ପରିବା ବିକ୍ରି କରିପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ ରଂଜନ ଦାସ । କେବଳ ଖରସ୍ରୋତା ଅବବାହିକାରେ ଥିବା ରସୁଲପୁର ନୁହେଁ, ଧର୍ମଶାଳା, ବରୀ, ଦଶରଥପୁର ପ୍ରଭୁତି ଅଂଚଳରେ ମଧ୍ୟ ଚାଷୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।