କରୋନା ଲଢେଇ ଲମ୍ବା ଲଢେଇ, ଆପଣ ସମସ୍ତେ ଜଣେ ଜଣେ ଯୋଦ୍ଧା । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ, ସବୁ ଜୀବନକୁ ସୁରକ୍ଷା ଦେବା ମୋ ଦାୟିତ୍ୱ । ମହାମାରୀ ମୁକାବିଲାରେ ଓଡିଶାବାସୀଙ୍କ ତ୍ୟାଗକୁ ସମ୍ମାନ ଦେଲେ ମୁଖ୍ୟମନ୍ତ୍ରୀ

596

କନକ ବ୍ୟୁରୋ: ମୁକାବିଲା ବେଳେ ପ୍ରତିଟି ଜୀବନ ମୂଲ୍ୟବାନ । ଅସାଧାରଣ ପରିସ୍ଥିତିରେ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ବାହାରେ ଥାଆନ୍ତୁ ବା ଓଡିଶା ଭିତରେ । ପ୍ରତିଟି ଓଡିଆଙ୍କ ଜୀବନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ନବୀନ କହିଛନ୍ତି । ତେବେ ଲକଡାଉନ ପାଇଁ ରାଜ୍ୟ ବାହାରେ ଫସିଥିବା ଶ୍ରମିକ, ତୀର୍ଥଯାତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ କଷ୍ଟ ମତେ ଦୁଃଖ ଦେଇଛି । ଆମର ଏବଂ ସେଠାକାର ସରକାରଙ୍କର ସବୁ ଉଦ୍ୟମ ସତ୍ୱେ ସେମାନଙ୍କ ଜୀବନ ଏବେବି ସ୍ୱାଭାବିକ ହୋଇନି । ତେଣୁ ବାହାରେ ଫସିଥିବା ପ୍ରତିଟି ଓଡିଆଙ୍କ ପାଇଁ ଆମେ ବ୍ୟବସ୍ଥା କରୁଥିବା ନବୀନ କହିଛନ୍ତି ।

ଅସାଧାରଣ ପରିସ୍ଥିତି, ଐତିହାସିକ ନିଷ୍ପତ୍ତି । କରୋନା ମୁକାବିଲା ପାଇଁ ସରପଂଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା । ଲକଡାଉନ ଅବଧି ସରିବା ପରେ ରାଜ୍ୟ ବାହାରୁ ଫେରିବାକୁ ଥିବା ଲୋକଙ୍କ ପାଇଁ ରୋଡମ୍ୟାପ ଘୋଷଣା କରିଛନ୍ତି ନବୀନ । ଯେଉଁଠି ପଂଚାୟତ ସ୍ତରରେ ଲଢେଇ ଲଢାଯିବ । ତେବେ ଘୋଷଣା ଅନୁସାରେ
– ବାହାର ରାଜ୍ୟରୁ ଆସିବାକୁ ଥିବା ଲୋକଙ୍କ ପାଇଁ ପଂଜୀକରଣ ବାଧ୍ୟତାମୂଳକ
– ଫେରୁଥିବା ଲୋକଙ୍କ ବନ୍ଧୁ ଓ ପରିବାର ପଂଜୀକରଣ କରିପାରିବେ
– ପଂଚାୟତ ସ୍ତରରେ ୧୪ ଦିନ ପାଇଁ ସଙ୍ଗରୋଧରେ ରଖାଯିବ
– ଖାଇବା, ରହିବା, ଚିକିତ୍ସା ସବୁ ଖର୍ଚ୍ଚ ସରକାର ବହନ କରିବେ
– ସଙ୍ଗରୋଧ ଅବଧି ସରିବା ପରେ ୨୦୦୦ ଟଙ୍କାର ସହାୟତା

ତାଲାବନ୍ଦର ଅବଧି ସରିବା ପରେ ରାଜ୍ୟ ସରକାର କେନ୍ଦ୍ର ଓ ଅନ୍ୟ ରାଜ୍ୟ ସହ ଆଲୋଚନା କରି ଫଶି ରହିଥିବା ଲୋକଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ ରାଜ୍ୟର ସମସ୍ତ ପଦକ୍ଷେପ ସତ୍ୱେ ବାହାରେ ଫଶି ରହିଥିବା ଲୋକଙ୍କ ଜୀବନ ସ୍ୱାଭାବିକ ହୋଇପାରିନି । ତେଣୁ ବୈଷୟିକ ଜ୍ଞାନକୈାଶଳର ବ୍ୟବହାର କରିବା ସହ ମାନବିକତା ଦୃଷ୍ଟିରୁ ସରକାର ପଦକ୍ଷେପ ନେଉଛନ୍ତି । ପଂଚାୟତ ଆଉ ସହରାଂଚଳ ସ୍ତରରେ ଏହି ମୁକାବିଲା କରିବାକୁ ସରକାର ପ୍ରସ୍ତୁତ ହୋଇଛନ୍ତି ।

ପୂର୍ବରୁ ମଧ୍ୟ ରାଜ୍ୟ ସରକାର ବାଧ୍ୟତାମୂଳକ ପଂଜୀକରଣ ଜରିଆରେ ଦେଶ ବାହାରୁ ତଥା ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ଉପରେ ନଜର ରଖିପାରିଥିଲେ । ଯେଉଁଥିପାଇଁ ଆକ୍ରାନ୍ତଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ହେବାକୁ ସରକାର ଅଟକାଇ ପାରିଥିଲେ । ଆଉ ସେହି ଫର୍ମୁଲାକୁ ପଂଚାୟତ ସ୍ତରରେ ଏବେ ଆପଣାଯାଉଛି । ପୂର୍ବରୁ ପ୍ରତି ପଂଚାୟତରେ ସଂଗରୋଧ ପାଇଁ ସରକାର ବ୍ୟବସ୍ଥା ଗ୍ରହଣ ମଧ୍ୟ କରିସାରିଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ କହିବା ସହ କରୋନା ବିରୁଦ୍ଧରେ ଲମ୍ବା ଯୁଦ୍ଧ ଲଢିବାକୁ ଆହ୍ୱାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।