୨୧ ଦିନିଆ ତାଲାବନ୍ଦ ସରିବାକୁ ଆଉ ୩ ଦିନ ବାକି । ଲକଡାଉନ ଅବଧି ବୃଦ୍ଧି ପାଇଁ ସଙ୍କେତ ପରେ ଚିନ୍ତାରେ ଦିନ ମଜୁରିଆ, ଓଡିଶା ଜଙ୍ଗଲରେ ଫସିଛନ୍ତି ଛତିଶଗଡ ଶ୍ରମିକ ।

940

କନକ ବ୍ୟୁରୋ: ଦେଶରେ ୨୧ ଦିନିଆ ତାଲାବନ୍ଦ ସରିବାକୁ ଆଉ ୩ ଦିନ ବାକି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀମାନେ ଲକ ଡାଉନ୍ ଅବଧି ବୃଦ୍ଧି କରିବାକୁ ସୁପାରିଶ କରିଛନ୍ତି । ଆଉ ଏହାରି ଭିତରେ ଖୋର୍ଦ୍ଧା ବାଲୁଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାହା ଲକ ଡାଉନ ଅବଧି ବୃଦ୍ଧି ପୂର୍ବରୁ ସରକାର ଓ ପ୍ରଶାସନକୁ ଚିନ୍ତା କରିବା ପାଇଁ ବାଧ୍ୟ କରିବ ।

ଖୋର୍ଦ୍ଧାର ହରିଚନ୍ଦନପୁର ଗାଁ ନିଟକ ଜଙ୍ଗଲ, ପ୍ରାୟ ୨୦ ଦିନ ହେବ ଛୋଟ ଛୋଟ ପିଲାଙ୍କୁ ଧରି ଏହି ଅଂଚଳରେ ରହୁଛନ୍ତି ଛତିଶଗଡର ଶ୍ରମିକ । ମିଳିଥିବା ସୂଚନା ଅନୁସାରେ, ଛତିଶଗଡର ପ୍ରାୟ ୪୦ ଶ୍ରମିକ ଆନ୍ଧ୍ରପ୍ରଦେଶରୁ କାମ ସାରି ନିଜ ରାଜ୍ୟ ଅଭିମୁଖେ ଯିବା ବେଳେ ଆରମ୍ଭ ହୋଇଥିଲା ଲକ ଡାଉନ୍ । ଫଳରେ ବାଲୁଗାଁ ଗଙ୍ଗାଧରପୁର ରେଳ ଷ୍ଟେସନରେ ଏମାନେ ଅଟକି ରହିଥିଲେ । ମାର୍ଚ୍ଚ ୨୦ ତାରିଖରେ ଦଳବଳ ହୋଇ ରାସ୍ତାରେ ଗଲା ବେଳେ କୁଲେଇ ପଂଚାୟତର ସରପଂଚ ପ୍ରଶନ୍ନ କୁମାର ପ୍ରଧାନ ଏମାନଙ୍କୁ ଯୋଗାଯୋଗ କରିଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରମିକଙ୍କୁ ନିଜ ଗାଁ ହରିଚନ୍ଦପୁରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ରଖିଥିଲେ । ହେଲେ ଗାଁ ଲୋକେ ସେମାନଙ୍କ ବିରୋଧରେ ଅଭିଯୋଗ ଆଣିବାରୁ ଭୟରେ ଶ୍ରମିକ ଜଙ୍ଗଲକୁ ଚାଲି ଯାଇଛନ୍ତି ।