କରୋନା: ତାସ୍ ଖେଳକୁ କର ନା, କାଶ-ଛିଙ୍କରୁ କେମିତି ବ୍ୟାପିପାରେ କୋଭିଡ୍-୧୯ ଭୂତାଣୁ ? ସବିଶେଷ ତଥ୍ୟ ଦେଇ ସତର୍କ କରାଇଲେ ସୁବ୍ରତ ବାଗଚୀ

1,358

କନକ ବ୍ୟୁରୋ: କରୋନା ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ଏବଂ ସଚେତନତା ଏକମାତ୍ର ଅସ୍ତ୍ର ବୋଲି ବାରମ୍ବାର ରାଜ୍ୟ ସରକାର କହୁଥିବାବେଳେ ଗାଁ ଗହଳିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗାଁ ଗହଳି ମାନଙ୍କରେ ଲକ୍ ଡାଉନ୍ ସମୟରେ ତାସ୍ ଖେଳ ଆସର ଜମିଥିବା ଖବର ସରକାରଙ୍କ ଦୃଷ୍ଟିଗୋଚରକୁ ଆସିଛି । ଯାହାକୁ ନେଇ ଆଜି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ଗାଁ ଯୁବକମାନଙ୍କୁ ସତର୍କ କରାଇଛନ୍ତି ।

ସୁବ୍ରତଙ୍କ କହିବା ମୁତାବକ, ତାସ୍ ପସାପାଲି ଖେଳରେ ସାମାଜିକ ଦୂରତା ଭଙ୍ଗ ହେଉଛି । କାରଣ ସାଙ୍ଗସାଥୀ ମେଳରେ ଯେବେ ତାସ୍ ପସରା ଖୋଲିଥାଏ ସେବେ ଆମେ ସାମାଜିକ ଦୂରତାକୁ ଭୂଲିଯାଇଥାଉ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ସାଙ୍ଗଙ୍କୁ କାଶ-ଛିଙ୍କ ହୋଇଥାଏ ତେବେ ଏହା ଅନ୍ୟମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ । କାରଣ କାଶିଲେ ଏହାର କଣିକା ୧୯ ଫୁଟ୍ ପର୍ଯ୍ୟନ୍ତ ଗତିକରିପାରେ ଆଉ ଛିଙ୍କିଲେ ୨୯ ଫୁଟ୍ ପର୍ଯ୍ୟନ୍ତ ଏହାର କଣିକା ଯାଇପାରେ । ତେଣୁ ଆପଣଙ୍କ ଦୂରତା ଏଥିରୁ କେତେ ରହୁଥିବା ଆପଣ ନିଜେ ଅନୁମାନ କରନ୍ତୁ ।

ସଂକ୍ରମଣକୁ ରୋକିବାକୁ ହେଲେ କାରୋନା ଯେ ପର୍ଯ୍ୟନ୍ତ ପରାଜିତ ନହୋଇଛି ସେ ପର୍ଯ୍ୟନ୍ତ ତାସ୍ ଖେଳ କିମ୍ବା ଅନ୍ୟ ଯାହା କି ସାମାଜିକ ଦୂରତାକୁ ଭଙ୍ଗ କରୁଛି , ସେଗୁଡ଼ିକରୁ ବିରତ ରହୁନ୍ତୁ । ନିଜେ ସୁସ୍ଥ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।