କରୋନା କଟକଣା: ଉଜୁଡି ଯାଇଛି ଜୀବିକା, ଅଟକି ଯାଇଛି ଜୀବନ । ପାନ ଚାଷୀଠୁ ଆରମ୍ଭ କରି ଗେଣ୍ଡୁ ଫୁଲ ଓ ପନିପରିବା ଚାଷୀଙ୍କ ପେଟପାଟଣାରେ ପଡ଼ିଛି ପ୍ରଭାବ ।

412

କନକ ବ୍ୟୁରୋ: ସାରା ବିଶ୍ୱକୁ ଦୋହଲାଇ ଦେଇଥିବା କରୋନା ପାଇଁ କଟକଣା । ଲୋକଙ୍କୁ ଭୂତାଣୁ ସଂକ୍ରମଣ ଠାରୁ ଦୂରେଇ ରଖିବା ଉଦେଶ୍ୟରେ ସରକାରଙ୍କ ତାଲା ବନ୍ଦ । ସୁସ୍ଥ ଜୀବନ ପାଇଁ ଲକ ଡାଉନ ପାଳନ କରାଯାଉ ଥିବା ବେଳେ ଦୋହଲି ଗଲାଣି ଚାଷୀଙ୍କ ମେରୁଦଣ୍ଡ । ବିକ୍ରୀ ହୋଇ ପାରୁନାହିଁ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଓ ଏରସମାରେ ୫ ହଜାର ପାନ ଚାଷୀ ହାତାସ ହୋଇ ପଡିଛନ୍ତି । ସେହିପରି ବାଲେଶ୍ୱର ବାହାନାଗାର ଗେଣ୍ଡୁ ଫୁଲ ଚାଷୀ ଏବଂ କୋକସରାର ପନିପରିବା ଚାଷୀଙ୍କ ସମସ୍ୟା କହିଲେ ନସରେ ।

କରୋନା କଟକଣା ଭିତରେ ଉଜୁଡି ଯାଇଛି ଜୀବିକା, ଅଟକି ଯାଇଛି ଜୀବନ । ତାଲା ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛି ଜଗତସିଂହପୁର କୁଜଙ୍ଗ ଓ ଏରସମା ଅଂଚଳର ପାନ ଚାଷ । ଚାଷୀ ବରଜରୁ ପାନ ତୋଳୁଛି ହେଲେ ବିକ୍ରି ହୋଇ ପାରୁନଥିବାରୁ ପାନ ସବୁ ଘରେ ହିଁ ନଷ୍ଟ ହେଉଛି । ଏଠାରୁ ପାନ ରାଜ୍ୟ ବାହାରକୁ ବିକ୍ରି ପାଇଁ ଯାଇଥାଏ । ପାନ ଭେଣ୍ଡରମାନେ ଚାଷୀଙ୍କ ଠାରୁ ପାନ କିଣି ମହାରାଷ୍ଟ୍ର, ଦିଲ୍ଲୀ, ଉତର ପ୍ରଦେଶ, ଗୁଜୁରାଟ ଏବଂ ବେଙ୍ଗାଲୁରୁରେ ବିକ୍ରି କରିଥାନ୍ତି । ହେଲେ ଏବେ ଗାଡି ମଟର ବନ୍ଦ ଥିବାରୁ ଭେଣ୍ଡର ପାନ କିଣୁନାହାନ୍ତି ଫଳରେ ପ୍ରାୟ ୫ଶହ ଚାଷୀ କ୍ଷତି ସହୁଛନ୍ତି ।

କେବଳ ପାନ ନୁହେଁ ପାନ ଭଳି ଫୁଲ ଚାଷୀ ବି ହତାସ ହୋଇ ପଡିଛନ୍ତି । ୨୧ ଦିନର ଲକ ଡାଉନ ଯୋଗୁଁ ଚାଷ ଜମି ଓ ରାସ୍ତା କଡରେ ନଷ୍ଟ ହେଉଛି ଗେଣ୍ଡୁ ଫୁଲ । ବାଲେଶ୍ୱର ବାହାନାଗା ବ୍ଲକ ଗଂଜିଣା ଗାଁର କିଛି ଚାଷୀ ହଜାର ହଜାର ଟଙ୍କା ଖର୍ଚ କରି ଗେଣ୍ଡୁ ଫୁଲ ଚାଷ କରିଛନ୍ତି । ବାଲେଶ୍ୱର, ଭଦ୍ରକ ସମେତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର କୋଲକାତାରେ ଫୁଲ ବିକ୍ରି କରି ପରିବାର ପୋଷିଥାନ୍ତି । ହେଲେ ଚଳିତ ବର୍ଷ ଅଦିନିଆ ବର୍ଷା ସାଙ୍ଗକୁ ଲକ ଡାଉନ ଚାଷୀ କୂଳର ମେରୁଦଣ୍ଡ ଭାଙ୍ଗି ଦେଇଛି ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଫସଲ ଖାଇଗଲା ଅଦିନିଆ ବର୍ଷା ଓ ତାଲା ବନ୍ଦ କଟକଣା । ଦୁଇ ଦିନର କୁଆପଥର ବର୍ଷା ମାଡରେ ଗଛରେ ହିଁ ନଷ୍ଟ ହୋଇଛି ପନିପରିବା । ଯାହା ଯେତିକି ଅମଳ ହେଉଛି ତାଲା ବନ୍ଦ ଯୋଗୁଁ ତାହା ବି ଉଚିତ୍ ମୂଲ୍ୟରେ ବିକ୍ରି ହୋଇ ପାରୁନାହିଁ । ତେଣୁ ଚାଷୀ କ୍ଷତି ସହୁଥିବା ସ୍ୱୀକାର କରିଛନ୍ତି କୋକସରା ବ୍ଲକ ସହକାରୀ ଉଦ୍ୟାନ ଅଧିକାରୀ । ଭୂତାଣୁ ହାରିବ, ଭାରତ ଜିତିବ ଏହି ଆଶାରେ ସରକାର ତାଲା ବନ୍ଦ ପାଳନ କରୁଛନ୍ତି । କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡେ, ତେଣୁ କଷ୍ଟ ହେଲେ ବି କରୋନାକୁ ପ୍ରତିହତ କରିବା ପାଇଁ ତାଲା ବନ୍ଦକୁ ମାନିବାକୁ ପଡିବ ।