ସୀମା ଜଗିଛି ପୋଲିସ । ଓଡିଶା- ଛତିଶଗଡ ସୀମା ସିଲ୍, ନବରଙ୍ଗପୁରରେ ୨୪ ଘଂଟିଆ ପହରା, ମାଲବାହୀ ଗାଡିକୁ ଛାଡି ଅନ୍ୟ ସମସ୍ତ ଗାଡି ଉପରେ କଟକଣା । ଧର୍ମଗଡ ସୀମାରେ ଦିନ ରାତି ପହରା ଦେଉଛନ୍ତି ଦୁଇ ରାଜ୍ୟର ପୋଲିସ୍ ।

1,055

କନକ ବ୍ୟୁରୋ: ହାତରେ ବନ୍ଧୁକ ଧରି ସୀମା ଜଗିଛି ପୋଲିସ । ପାରାମିଲିଟାରୀ ଫୋର୍ସର ଯବାନ ବି ପହରା ଦେଉଛନ୍ତି । ସୀମା ସିଲ ପାଇଁ ସରକାର ନିର୍ଦେଶ ଦେବା ପରେ ମାଲକାନଗିରି-ଛତିଶଗଡ ସୀମାରେ କରାଯାଇଛି କଡା ସୁରକ୍ଷା ବ୍ୟବସ୍ଥା ।

ସୀମା ଦେଇ ଯିଏ ବି ଯାଉଛି ତାକୁ ପଚରାଉଚରା କରାଯାଉଛି । ଗାଡି ମୋଟରକୁ ଅଟକାଇ ଯାଂଚ୍ କରୁଛି ପୋଲିସ । ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଗାଡିର ଡ୍ରାଇଭର ଓ କ୍ଲିନରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଏଥିପାଇଁ ସୀମାରେ ନିୟୋଜିତ ହୋଇଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ।

ଛତିଶଗଡକୁ ସଂଯୋଗ କରୁଥିବା ନବରଙ୍ଗପୁର ସୀମାକୁ ବି ସିଲ୍ କରିଛି ପୋଲିସ । ଜାତୀୟ ରାଜପଥ ଦେଇ ଯାଉଥିବା ସବୁ ଗାଡିକୁ କଡାକଡି ଯାଂଚ୍ କରାଯାଉଛି । ଆଉ ଜରୁରୀ ସାମଗ୍ରୀ ନଥିଲେ ଅନୁମତି ମିଳୁନି । ସୀମାନ୍ତରେ ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ ଓ ଉମରକୋଟ ପୋଲିସ ।..

ଏହେଉଛି ଆନ୍ଧ୍ରକୁ ସଂଯୋଗ କରୁଥିବା ଗଜପତି ସୀମାର ଚିତ୍ର । ଜିଲ୍ଲାର ସମସ୍ତ ୬ଟି ଯାକ ପ୍ରବେଶ ପଥକୁ ସିଲ୍ କରାଯାଇଛି । ଗାଡି ମୋଟର ଯାଂଚ କରାଯାଉଥିବା ବେଳେ କେବଳ ମାଲବାହୀ ଗାଡିକୁ ଅନୁମତି ଦିଆଯାଉଛି । ଜରୁରୀ କାମରେ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଆବଶ୍ୟକ ପଡିଲେ ପାରଳାଖେମୁଣ୍ଡି ହସପିଟାଲକୁ ପଠାଯାଉଛି ।

ଗଂଜାମ ଜିଲ୍ଲା ଭଂଜନଗରର ବିଜୟୱାଡା ରାଂଚି କରିଡର । ଆନ୍ଧ୍ର-ଓଡିଶା ଓ ଛତିଶଗଡକୁ ସଂଯୋଗ କରୁଥିବା ଏହି ରାଜପଥ ଏବେ ଖାଲି ପଡିଛି । ଲୋହରାଖଣ୍ଡି ସେତୁ ଉପରେ ରସି ଲଗାଇ ସହର ଭିତରକୁ ଆସୁଥିବା ସବୁ ଗାଡିକୁ ଯାଂଚ କରୁଛି ପୋଲିସ । ତାଲାବନ୍ଦ ନିର୍ଦେଶ ପରେ ଶହ ଶହ ସଂଖ୍ୟାରେ ଶ୍ରମିକ ବାହାର ରାଜ୍ୟରୁ ଓଡିଶା ଫେରୁଥିବାରୁ ରାଜ୍ୟକୁ ରାଜ୍ୟ ଏବଂ ଜିଲ୍ଲାକୁ ଜିଲ୍ଲା ସଂଯୋଗ କରୁଥିବା ସବୁ ସୀମାକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।