ଦିଲ୍ଲୀ ନିଜାମୁଦ୍ଦିନ ସମାବେଶରୁ ଫେରିଥିଲେ ଷଷ୍ଠ କରୋନା ଆକ୍ରାନ୍ତ । କୋଭିଡ୍– ୧୯ ମୁଖପାତ୍ରଙ୍କ ସୂଚନା, ଓଡିଶାକୁ ଫେରିଛନ୍ତି ୨୭, ୨୧ ଜଣଙ୍କ ନମୂନା ନେଗେଟିଭ, ୫ଜଣଙ୍କ ରିପୋର୍ଟକୁ ଅପେକ୍ଷା ।

1,313

କନକ ବ୍ୟୁରୋ: ଚତୁର୍ଥ ଓ ପଂଚମ ଆକ୍ରାନ୍ତଙ୍କୁ ନେଇ ରାଜ୍ୟ ସରକାର ଚିନ୍ତିତ ହୋଇ ପଡ଼ିଥିବା ବେଳେ ଏବେ ଷଷ୍ଠ ଆକ୍ରାନ୍ତ ସରକାରଙ୍କ ସମସ୍ୟାକୁ ଦ୍ୱିଗୁଣିତ କରି ଦେଇଛି । କାରଣ ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗ ଦେଇ ସେ ଓଡ଼ିଶା ଫେରିଥିଲେ । ଏହି ସମାବେଶରେ ଯୋଗ ଦେଇ ଫେରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୬୪୭ ଜଣଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଥିବା ବେଳେ ଏହାକୁ ନେଇ ସାରା ଦେଶରେ ଏବେ ସ୍ଥିତି ଜଟିଳ ହେବାରେ ଲାଗିଛି ।

ତବଲିଘି ଜମାତର ସମାବେଶରେ ଯୋଗ ଦେଇ ଫେରି ଆସିଥିବା ୨୭ ଜଣଙ୍କୁ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର । ସେଥିରେ ୭ ଜଣ ବିଦେଶୀ ନାଗରିକ ଅଛନ୍ତି । ୨୧ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ୫ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେପଟେ ନିଜାମୁଦ୍ଦିନ ସମାବେଶରେ ଯୋଗ ଦେଇ ଓଡ଼ିଶାର ପ୍ରାୟ ୪୦ ଜଣ ଦିଲ୍ଲୀ, ବିହାର, ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ଅଟକି ରହିଛନ୍ତି । ସେଥିମଧ୍ୟରୁ କିଛି ଦିନ ତଳେ ପଶ୍ଚିମବଙ୍ଗରୁ ୧୦ ଜଣ ତାଳଚେର ଆସି ବୁଲି ଫେରିଥିବା ଜଣାପଡ଼ିଛି ।

ରାଜ୍ୟ ସରକାରଙ୍କ କରୋନା ସଂପର୍କିତ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି, ଏହା ମଧ୍ୟରେ ଓଡ଼ିଶାରେ ଚିହ୍ନଟ ହୋଇଥିବା ନିଜାମୁଦ୍ଦିନ ଫେରନ୍ତାମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି, ସମସ୍ତଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରାଯାଉଛି ।