ଲକ୍ ଡାଉନ ଯୋଗୁଁ ଗରିବଙ୍କୁ ମାଗଣାରେ ଚାଉଳ ଡାଲି ବାଣ୍ଟିବେ ସରକାର । ୩ ମାସ ଯାଏଁ ମୁଣ୍ଡ ପିଛା ୫ କେଜି ଚାଉଳ ଓ ପ୍ରତି ପରିବାରକୁ ମିଳିବ ଏକ କିଲୋ ଡାଲି । ଉପକୃତ ହେବେ ୩ କୋଟି ୨୮ଲକ୍ଷରୁ ଅଧିକ ହିତାଧିକାରୀ ।

4,948

କନକ ବ୍ୟୁରୋ: ଲକ୍ ଡାଉନ ଚାଲିଥିବାରୁ ଗରିବ ହିତାଧିକାରୀଙ୍କୁ ମୁଣ୍ଡ ପିଛା ରାସନ ଯୋଗାଇ ଦେବେ ସରକାର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ୩ ମାସ ପାଇଁ ମୁଣ୍ଡ ପିଛା ମାସକୁ ୫ କେଜି ଚାଉଳ ଓ ପରିବାର ପିଛା ୧ କିଲୋଗ୍ରାମ ହରଡ ଡାଲି ମାଗଣାରେ ବଂଟାଯିବ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଚାଉଳ ଓ ଡାଲି ମାଗଣାରେ ଯୋଗାଇ ଦିଆଯିବ ।

ତେବେ ଏବେ ଚାଉଳ ବଂଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଅପ୍ରିଲ, ମଇ ଓ ଜୁନ ମାସ ପାଇଁ ଏହି ଚାଉଳ ଓ ଡାଲି ବଂଟନ କରାଯିବ । ଏହି ଯୋଜନାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୧ଲକ୍ଷ ୧୬ ହଜାର ୭ ଗୋଟି ପରିବାରର ୩ ଲକ୍ଷ ୭୮ ହଜାର ୮୨୯ ବିତାଧିକାରୀ ଉପକୃତ ହେବେ ।

ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୮୦ଲକ୍ଷ ୨୬ ହଜାର ୩୭୫ଟି ପରିବାରର ୨ କୋଟି ୮୬ ଲକ୍ଷ ୬ ହଜାର ୨୩୯ ହିତାଧିକାରୀ ଲାଭ ପାଇବେ । ସେହିପରି ଅନ୍ତୋଦୟ ଅନ୍ନ ଯୋଜନାରେ ୧୨ ଲକ୍ଷ ୫୯ ହଜାର ୧୮୧ଟି ପରିବାରର ୩୮ ଲକ୍ଷ ୬୪ ହଜାର ୨୬୦ ଜଣ ହିତାଧିକାରୀ ଉପକୃତ ହେବେ । ରାଜ୍ୟ ସରକାରଙ୍କ ସାଧାରଣ ବଂଟନ ବ୍ୟବସ୍ଥାରେ ଯୋଗ୍ୟ ରାସନକାର୍ଡଧାରୀଙ୍କୁ ୩ ମାସ ପାଇଁ ଯୋଗାଇ ଦିଆଯାଇଥିବା ଚାଉଳ ସହ ଅତିରିକ୍ତ ଭାବେ ଏହି ଚାଉଳ ଓ ଡାଲି ମାଗଣାରେ ମିଳିବ ।