ଘରକୁ ଫେରିବାକୁ ବଢୁଛି ବ୍ୟଗ୍ରତା । ସରକାରୀ ପୋର୍ଟାଲରେ ପଞ୍ଜୀକରଣ କଲେଣି ୪ ଲକ୍ଷ ୮୬ ହଜାର ଲୋକ । ତାଲା ଫିଟିଲେ ଓଡିଶା ବାହାରୁ ବାହୁଡିବେ ଓଡିଆ

1,137

କନକ ବ୍ୟୁରୋ: ପଞ୍ଚାୟତ ସ୍ତରରେ ବଢୁଛି ପଞ୍ଜୀକରଣ । ଓଡିଶା ବାହାରୁ ଓଡିଆଙ୍କୁ ଫେରାଇ ଆଣିବାକୁ ପ୍ରତି ପଞ୍ଚାୟତରେ ପଞ୍ଜୀକରଣ କରୁଛନ୍ତି ଲୋକେ । ଓଡିଶା ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପୋର୍ଟାଲରେ ପଞ୍ଜୀକରଣ ଦୃତ ଗତିରେ ଚାଲିଛି । କେହି କେହି ନିଜେ ନିଜ ପାଇଁ ରେଜିଷ୍ଟ୍ରେସନ କରୁଥିବା ବେଳେ ପଞ୍ଚାୟତ ସ୍ତରରେ ନିଜ ସମ୍ପର୍କୀୟଙ୍କ ପାଇଁ ପି ପଞ୍ଜୀକରଣ କରୁଛନ୍ତି । ତେବେ ଗତ ୪୮ ଘଣ୍ଟା ମଧ୍ୟରେ ୪ ଲକ୍ଷ ୮୬ ହଜାର ପଞ୍ଜୀକରଣ ହୋଇଥିବା କହିଛନ୍ତି କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ତେବେ ଓଡିଶା ଫେରନ୍ତାଙ୍କ ପାଇଁ ୬୭୯୮ଟି ଗ୍ରାମପଞ୍ଚାୟତରେ ନୋଡାଲ ଅଫିସରଙ୍କୁ ତାଲିମ ଦିଆଯାଇଛି । ମେ ୩ ପରେ ଓଡିଶା ବାହାରୁ ଫେରୁଥିବା ଲୋକଙ୍କୁ କେମିତି କ୍ୱାରେଣ୍ଟାଇନରେ ରଖାଯିବ ଆଉ ସେମାନଙ୍କୁ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯିବ ସେନେଇ ତାଲିମ ଦିଆଯାଇଛି ।

ତେବେ ଗତ ୨୪ ତାରିଖରୁ ଏହି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସବୁଠାରୁ ବଡ କଥା ହେଉଛି ବିନା ପଞ୍ଜୀକରଣରେ କେହି ଓଡିଶା ଆସି ପାରିବେନି । ପଞ୍ଜୀକରଣ ବିନା ସମସ୍ତଙ୍କୁ ଓଡିଶା ମନା । ତେଣୁ ଘରକୁ ଫେରିବା ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ । ପଞ୍ଜୀକରଣ ବେଳେ ଆଧାର ନମ୍ବର ଓ ମୋବାଇଲ ନମ୍ବର ବାଧ୍ୟତାମୂଳକ । ତେବେ ୩ଟି ପ୍ରକ୍ରିୟାରେ ଜଣେ ଓଡିଶା ଫେରିବା ପାଇଁ ପଞ୍ଜୀକରଣ କରିପାରିବେ ।

୧-ବାହାରେ ଫସିଥିବା ବ୍ୟକ୍ତି ନିଜେ ପଞ୍ଜୀକରଣ କରିପାରିବେ
୨-ଅନ୍ୟମାନେ ବି ସେମାନଙ୍କ ପାଇଁ ପଞ୍ଜୀକରଣ କରିପାରିବେ
୩-ନିଜ ସମ୍ପର୍କୀୟ ଲୋକ ବି ଫସିଥିବା ବ୍ୟକ୍ତିଙ୍କ ବାବଦରେ ଏକ ଫର୍ମ ପୂରଣ କରି ପଞ୍ଚାୟତରେ ଦେଇ ପାରିବେ । ପଞ୍ଚାୟତରେ ଥିବା କର୍ମଚାରୀ ଉକ୍ତ ତଥ୍ୟକୁ ପୋର୍ଟାଲରେ ପଞ୍ଜୀକରଣ କରାଇବେ ।

ତେବେ ବାହାରେ ଫସିଥିବା ଓଡିଆମାନେ ଆସିବା ପରେ ସେମାନଙ୍କୁ ସିଧା ଗ୍ରାମପଞ୍ଚାୟତ ସ୍ତରରେ ଖୋଲା ଯାଇଥିବା ସ୍ୱାସ୍ଥ୍ୟ ଶିବିରକୁ ନିଆଯିବ । ସେଠାରେ ସେମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରଖାଯିବ । ସେମାନଙ୍କର ଖାଇବା, ରହିବା, ଚିକିତ୍ସା ସବୁ ବହନ କରିବେ ସରକାର । କେହି ବି ଜଣେ ବାହାରୁ ଆସିଲେ ଘରକୁ ଯାଇ ପାରିବେନି ।