କରୋନା ମୁକାବିଲାରେ ଓଡ଼ିଶା ଆଗୁଆ! ଗୋଟିଏ ସପ୍ତାହରେ ୩୦ ଜିଲ୍ଲାରେ ହେବ ୩୫ଟି କୋଭିଡ୍-୧୯ ହସ୍ପିଟାଲ, ସଂକ୍ରମଣ ରୋକିବାକୁ ସରକାର ସଜାଗ ।

549

କନକ ବ୍ୟୁରୋ: କରୋନା ନମୂନା ଏବଂ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ନେଉଛନ୍ତି ବଳିଷ୍ଠ ପଦକ୍ଷେପ । ଆଉ ଏନେଇ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ ବିଷୟରେ ସମୀକ୍ଷା କରିଥିଲେ । ଆଉ ଆସନ୍ତା ୭ ଦିନ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ ୩୫ଟି କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ସବୁଠାରୁ ବଡ଼କଥା ହେଲା, ସଂକ୍ରମଣ ରୋକିବାକୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ୧୮ଟି ଜିଲ୍ଲାରେ ୨୦ଟି କୋଭିଡ୍-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ କରିସାରିଲାଣି । ଆଉ ଏହି ସବୁ କୋଭିଡ୍-୧୯ ହସ୍ପିଟାଲରେ ୩ ହଜାର ୪୨୦ ଶଯ୍ୟା ବ୍ୟବସ୍ଥା ଥିବାବେଳେ ୧୯୭ଟି ଆଇସିୟୁ ବେଡ୍ ବ୍ୟବସ୍ଥା କରାଯାଇଛି । ଆଉ ଖୁବଶୀଘ୍ର ଅନ୍ୟାନ୍ୟ ଜିଲ୍ଲାରେ ଆଉ ୧୫ଟି କୋଭିଡ୍-୧୯ ହସ୍ପିଟାଲ ପ୍ରତିଷ୍ଠା ହେବ । ଏବଂ ଏଥିରେ ୨ହଜାର ୨୮୨ଟି ଶଯ୍ୟା ବ୍ୟବସ୍ଥା କରାଯିବା ସହ ୩୮ଟି ଆଇସିୟୁ ବେଡ୍ ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।