କରୋନା କଟକଣା ଭିତରେ ଶୀତଳଷଷ୍ଠୀ । ସମ୍ବଲପୁର ଶୀଳତଷଷ୍ଠୀରେ ନିରାଡ଼ମ୍ବର ନିର୍ବନ୍ଧ, ତାଲାବନ୍ଦ ନିୟମ ଭିତରେ ସରିଲା ଦେବ ଦମ୍ପତିଙ୍କ ପତରପେଣ୍ଡି ବା ନିର୍ବନ୍ଧ ଉତ୍ସବ । ମାସ୍କ ପିନ୍ଧି, ସାମାଜିକ ଦୂରତା ଭିତରେ ସମ୍ପନ୍ନ ହେଲା ରୀତିନୀତ

198

କନକ ବ୍ୟୁରୋ: ନା ଥିଲା ବିରାଟ ପଟୁଆର । ନା ଥିଲା ଦୁଲଦୁଲି ନୃତ୍ୟ ଗୀତର ଶୋଭାଯାତ୍ରା । କେବଳ ଶଙ୍ଖ ଫୁଙ୍କି କନ୍ୟା ଘରେ ପହଂଚି ଥିଲେ ବରପକ୍ଷର ସୀମିତ ସଂଖ୍ୟକ ଲୋକ । ଆଉ ବିଧି ରକ୍ଷା ପାଇଁ ଅନୁଷ୍ଠିତ ହୋଇଛି ସମ୍ବଲପୁର ନନ୍ଦପଡା ବମ୍ ବରାଡ ବାବା ବାଲୁଙ୍କେଶ୍ୱରଙ୍କ ପତରପେଣ୍ଡି ଉତ୍ସବ । ସପ୍ତଋଷି, ବରପିତା, ପୂଜକ ଓ କନ୍ୟାପିତାଙ୍କ ଉପସ୍ଥିତିରେ ଦେବ-ଦମ୍ପତିଙ୍କ ବିବାହ ପାଇଁ ନିର୍ବନ୍ଧ ସଂପୂର୍ଣ୍ଣ ହୋଇଛି ।

ବିଧି ଅନୁସାରେ ଅକ୍ଷୟ ତୃତୀୟା ଦିନ ଶୀତଳ ଷଷ୍ଠୀର ଆଦ୍ୟ ପର୍ବ ଥାଳଉଠା ନୀତି କରାଯାଏ । ଆଉ ଏହାର ମାସେ ପରେ ପତରପେଣ୍ଡି ବା ନିର୍ବନ୍ଧ କରାଯାଏ । ବରପିତା, କନ୍ୟାପିତାଙ୍କୁ ୨୧ଟି ସରଗି ପତ୍ର, ଫୁଲ, ନୂଆ ଲୁଗା, ମିଠା ଦେଇ ପାର୍ବତୀଙ୍କୁ ବୋହୂ କରିବା ପାଇଁ ନିଷ୍ପତି ନିଅନ୍ତି । ଯାହାକୁ ପତରପେଣ୍ଡି ବୋଲି କୁହାଯାଏ । ଆଗକୁ ଦେବନିମନ୍ତ୍ରଣ, ଶିବ ବିବାହ ଓ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ବିଧି ରକ୍ଷା ସ୍ୱରୁପ ରିତିନୀତି ଅନୁସାରେ ହେବ ।

ଚଳିତ ବର୍ଷ ମହାମାରୀ କରୋନା ପାଇଁ ସରକାର ଲଗାଇଥିବା କଟକଣା ଭିତରେ ଶୀତଳ ଷଷ୍ଠୀ ଅନୁଷ୍ଠିତ ହେବ । ଆସନ୍ତା ୨୭ ତାରିଖ ଦିନ ଦେବ ଦମ୍ପତ୍ତିଙ୍କର ବିବାହ ଉତ୍ସବ ସମ୍ପର୍ଣ୍ଣ ହେବ । ହେଲେ ଯାତ୍ରାର ମୁଖ୍ୟ ଆକର୍ଷଣ ଯୁଗଳମୂର୍ତି ଦର୍ଶନ ଓ ଶୋଭାଯାତ୍ରା ବନ୍ଦ ରହିବ ।