ସର୍ତ୍ତ ରହିଲା, ସଟଡାଉନ ହଟିଲା । ସିଲଭର ସିଟିରୁ ଉଠିଲା କରୋନା କଟକଣା । ଜାଣନ୍ତୁ ସର୍ତ୍ତ ସହ କଟକରେ କଣ ରହିବ ଖୋଲା ?

2,895

କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲୁଥିବାବେଳେ କେମିତି କରୋନା ମୁକ୍ତ ରହିବ ବିଭିନ୍ନ ହସ୍ପିଟାଲ । ଏହା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ବିଶେଷ କରି କଟକରେ ଥିବା ପ୍ରମୁଖ ହସ୍ପିଟାଲ ଗୁଡିକୁ କିପରି ଏହି ସଂକ୍ରମଣଠାରୁ ଦୂରେଇ ରଖାଯାଇପାରିବ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ସୂଚନା ଦେଇଛନ୍ତି ସିଏମସି କମିଶନର । ଏଥିସହ ସେ ସୂଚନା ଦେଇ କହିଛନ୍ତି କଟକର ୨୪୮ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୯୦ ଜଣ । ସେହିପରି ଆଚାର୍ଯ୍ୟ ହସ୍ପିଟାଲରୁ ଆକ୍ରାନ୍ତ ହୋଇଥିବା ୧୨୦ ଜଣ ସୁସ୍ଥ ହେଉଥିବା ସୂଚନା ଦେଇଛନ୍ତି ।

ତେବେ ବଡକଥା ହେଉଛି କଟକ ମହାନଗର ନିଗମ ଅଂଚଳରୁ ଉଠିଲା ଲାଗୁ ହୋଇଥିବା ସଟଡାଉନ କଟକଣା । ଆସନ୍ତାକାଲି ଠାରୁ ସହରରେ ସମସ୍ତ ଦୋକାନ ବଜାର ଖୋଲିବ । ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ କଟକ ମହାନଗର ନିଗମ ଅନୁମତି ଦେଇଛି । ତେବେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କଟକଣା ବଳବତ୍ତର ରହିବ । ଆବଶ୍ୟକ ଅନୁମତି ନେଇ ମେଡିକାଲ କାମ ପାଇଁ ଆନ୍ତଃ-ଜିଲ୍ଲା ଚଳାଚଳକୁ ଅନୁମତି ଦିଆଯାଇଛି ।

ସେହିଭଳି ସରକାର ଅଫିସଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିପାରିବ । ହୋଟେଲ ଓ ରେସ୍ତରୋଁଗୁଡିକରେ କେବଳ ପାର୍ସଲ ନେବାକୁ ଅନୁମତି ଦିଆଯାଇଛି । ତେବେ ସପ୍ତାହର ଦୁଇଦିନ ଶନିବାର ଓ ରବିବାର ସଟଡାଉନ ବଳବତ୍ତର ରହିବ । ସେହିଭଳି ରାଣୀହାଟ ମାଳିସାହି ଅଂଚଳରେ ଜାରି କରାଯାଇଥିବା କଂଟେନମେଂଟ ଅଂଚଳକୁ ବି ପ୍ରତ୍ୟାହାର କରିନିଆଯାଇଛି ।