କନକ ବ୍ୟୁରୋ: ଫୁଲ ପଡୁଛି, ତାଳି ବାଜୁଛି, ଅରୁଆ ଚାଉଳ ଫିଙ୍ଗି ଜଣ ଜଣ କରି ସମସ୍ତଙ୍କୁ ବିଦାୟ ଦିଆଯାଉଛି । କାହାକୁ ଶାଢି ସହ ସ୍ନେହର ସନ୍ତକ ମିଳିଛି ତ କିଏ ମିଠା ଖାଇ ବିଦାୟ ବେଳର ମୁହୂର୍ତ୍ତକୁ ସବୁଦିନ ପାଇଁ ମନେ ରଖିଛି । ସଙ୍ଗରୋଧ କେନ୍ଦ୍ରରେ ଆପଣାର ହୋଇଥିବା ଅଜଣା ସମ୍ପର୍କକୁ ବିଦାୟ ଦେବାର ଏ ହେଉଛି ସେହି ସମୟ । ଏଠି ଲୁହ ନୁହେଁ ବରଂ ହସରେ ହସରେ ସମସ୍ତେ ଦେଉଛନ୍ତି ହୃଦୟରୁ ବିଦାୟ ।

Advertisment

ଘରକୁ କୁଣିଆ ଆସି ଯିବାବେଳେ ଯେମିତି ସେମାନଙ୍କୁ ଲୁଗାପଟା ଦେଇ ବିଦା କରାଯାଏ ଠିକ ସେମିତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅମୃତମଣୋହୀ ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଦିଆଯାଇଛି ଆନ୍ତରିକତାପୂର୍ଣ୍ଣ ବିଦାୟ । ତେବେ ସଙ୍ଗରୋଧ ଅବଧି ସରିବା ପରେ ସମସ୍ତ ପ୍ରବାସୀଙ୍କୁ ଆଡମ୍ବର ସହ ବିଦାୟ ଦେଇଛନ୍ତି ସରପଞ୍ଚଙ୍କ ସହ କରୋନା ଯୋଦ୍ଧାମାନେ । ଆଉ ଏଠି ଦେଖନ୍ତୁ ସେବା ଭିତରେ ସ୍ନେହ ପାଇଥିବା ଏ କୁନି ପିଲାଟି କେମିତି ସରପଞ୍ଚ ଙ୍କ ବେକରେ ଫୁଲମାଳ ପକାଇ ନିଜ ସମ୍ମାନ ଜଣାଉଛି । ଯାହା ସଙ୍ଗରୋଧ କେନ୍ଦ୍ରରେ ନୂଆ ସମ୍ପର୍କର ଚିତ୍ର ଆଙ୍କୁଛି...

ସେପଟେ ଗତକାଲି ଆସିଥିବା କେନ୍ଦ୍ରାପଡା କ୍ୱାରେଣ୍ଟାଇନ କେନ୍ଦ୍ରର ଅନ୍ୟ ଏକ ଦୃଶ୍ୟ ସାରା ଓଡିଶାକୁ କନ୍ଦେଇ ଦେଇଥିଲା । ସଙ୍କଟବେଳର ସାଥୀଙ୍କୁ ଛାଡି ଯିବାବେଳେ ଯେଉଁ ଭାବ ବିହ୍ୱଳର ପରିବେଶ ସୃଷ୍ଟି ହୋଇଥିଲା ତାହା ଅନ୍ତେବାସୀଙ୍କ ଆଖିରେ ଲୁହ ଆଣିଥିଲା । ଅଳ୍ପ ଦିନ ହେଉ ପଛେ, ରହଣି ଭିତରେ ଏତେ ଆତ୍ମୀୟତା ବଢିଯାଇଥିଲା ଯେ ସରପଞ୍ଚ ଓ ସେବା ଯୋଗାଉଥିବା ଯୋଦ୍ଧାଙ୍କୁ ଛାଡି ଯିବା ପ୍ରବାସୀଙ୍କ ପାଇଁ ମୁସକିଲ ଥିଲା । ଆଉ ମାଆ ଭଳି ସ୍ନେହ କରୁଥିବା ସରପଞ୍ଚଙ୍କ ଠାରୁ ଦୂରେଇ ଯିବା ବେଳେ ତାଙ୍କୁ ଧରି ଭୋ ଭୋ ହୋଇ କାନ୍ଦିଥିଲେ ସମସ୍ତେ ।

ତେବେ କ୍ୱାରେଣ୍ଟାଇନ କେନ୍ଦ୍ରରେ ଯେତେବେଳେ କିଛି ପ୍ରବାସୀ ଓଡିଆ ଗଣ୍ଡଗୋଳ କରୁଛନ୍ତି । ଭାତ, ଡାଲମାରେ ତେଲ ଲୁଣର ଫରକ ବାହାର କରି ଖାଦ୍ୟ ଫିଙ୍ଗି ଦେଉଛନ୍ତି ଆଉ ସଙ୍ଗରୋଧ କେନ୍ଦ୍ରରେ ହୋଟେଲର ସୁଖ ଖୋଜୁଛନ୍ତି ସେମାନଙ୍କ ପାଇଁ କେନ୍ଦ୍ରାପଡାରୁ ଆସିଥିବା ଏ ଦୁଇ ଦୁଇଟି ଦୃଶ୍ୟ କି ଶିକ୍ଷା ଦେବ ? ଏମାନଙ୍କୁ ଦେଖି କ୍ୱାରେଣ୍ଟାଇନ କେନ୍ଦ୍ରର କିଛି ଅମାନିଆ ନିଜକୁ ବଦଳାଇବେ କି ?