ସତର୍କ ରୁହନ୍ତୁ, କରୋନା ଯାଇନି । କଟକଣା କୋହଳ ପରେ ଲୋକେ ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ମାନୁ ନାହାନ୍ତି । ଏଣିକି କଡାକଡି ହେବ ଆଇନ, ନିୟମ ନମାନିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

2,700

କନକ ବ୍ୟୁରୋ: କରୋନା ଯାଇନି । ଲକଡାଉନ ଉଠିଗଲା ମାନେ ନୁହେଁ ଯେ କରୋନା ଚାଲିଗଲା । ସତର୍କ ରୁହନ୍ତୁ କରୋନା ଯାଇନି । ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦେବା ନେଇ କହିବା ବେଳେ ଆଜି ଏଭଳି କଥା କହିଛନ୍ତି ପୋଲିସ କମିଶନର । ଲକଡାଉନ କୋହଳ ହେବା ପରେ ଲୋକେ ଆଉ କରୋନା ନିୟମ ମାନୁ ନାହାନ୍ତି । ଅନେକ ଲୋକ ମାସ୍କ ପିନ୍ଧୁ ନାହାନ୍ତି, ସାମାଜିକ ଦୂରତା ମାନୁ ନାହାନ୍ତି । ବିନା ମାସ୍କରେ ଗାଡିରେ ବୁଲୁଛନ୍ତି ପୋଲିସକୁ ଦେଖିଲେ ନାକ ଉପରକୁ ମାସ୍କ ଉଠାଇ ଦେଉଛନ୍ତି । ସବୁ ବେଳେ, ସବୁ ସ୍ଥାନରେ ପୋଲିସ ନିୟମକୁ କାର୍ଯ୍ୟକାରୀ ପାଇଁ ଜଗିବା ସମ୍ଭବ ନୁହେଁ ତେଣୁ ଲୋକେ ନିଜେ ସଚେତନ ହେବା ଦରକାର । ମନେ ରଖନ୍ତୁ କରୋନା ଯାଇନି ତେଣୁ ସମସ୍ତେ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ଉପରେ ଅଧିକ ଧ୍ୟାନ ଦିଅନ୍ତୁ ବୋଲି ପୋଲିସ କମିଶନର କହିଛନ୍ତି ।

ବଡ କଥା ହେଉଛି ଦିନକୁ ପାଖାପାଖି ୫୦୦ରୁ ୭୦୦ ଲୋକଙ୍କ ଠାରୁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧୁନଥିବା ନେଇ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜରିମାନା ଆଦାୟ କରାଯାଉଛି । ତେବେ ଲୋକେ ନିୟମ ମାନୁ ନଥିବାରୁ ଆଗାମୀ ଦିନରେ ଆଇନ କଡାକଡି ହେବ । ଏନେଇ ଆଜି ସବୁ ପୋଲିସ ଷ୍ଟେସନ ଏବଂ ଥାନାଥିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ସିପି କହିଛନ୍ତି ।

ତେବେ ଏଠି ସେଠି ଛେପ ନପକାଇବା, ପାନ ନଖାଇବା, ସାମାଜିକ ଦୂରତା, ମାସ୍କ ପିନ୍ଧିବା ନେଇ ବଜାରରେ ମାଇକ ଯୋଗେ ପ୍ରଚାର ହେବ । ଆଉ ସବୁ ପରେ ଯଦି କେହି ନିୟମ ନମାନନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । କରୋନାର ସମାଧାନ ନଆସିବା ଯାଏଁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ ବୋଲି ସିପି କହିଛନ୍ତି ।