ଓଡିଶାରେ ସାଙ୍ଘାତିକ ହେଉଛି କି ସଂକ୍ରମଣ ? ୪ ଦିନରେ ପାଖାପାଖି ୨ ହଜାର ଛୁଇଁଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୪୫୬ କରୋନା ପଜିଟିଭ, ୨ ମୃତ । ୯, ୫୨୬ରେ ପହଁଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

1,143

କନକ ବ୍ୟୁରୋ: ଜୁନ୍ ମାସ ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ଆଉ ଜୁଲାଇ ଆସୁ ଆସୁ ସ୍ଥିତି ସାଂଘାତିକ ହେଲାଣି । ରାଜ୍ୟରେ ଗତ ଶୁକ୍ରବାର ପ୍ରଥମ ଥର ପାଇଁ ୫ ଶହ ଟପିଥିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାପରେ ଗତ ୩ ଦିନ ହେଲା ୫ ଶହ ପାଖାପାଖି ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୪ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧୯୮୧ ରେ ପହଁଚିଛି । ରାଜ୍ୟରେ ପ୍ରଥମ ୨ ହଜାର ଆକ୍ରାନ୍ତ ହେବାକୁ ଅଢେଇ ମାସ ସମୟ ଲାଗିଥିଲା । ଏବେ ମାତ୍ର ୪ ଦିନରେ ୨ହଜାର ପାଖାପାଖି ପହଁଚିଛି ଆକ୍ରାନ୍ତଙ୍କ ସଂଖ୍ୟା ।

କଟକରେ ସଂକ୍ରମଣ ଚେନ୍ ଭାଂଗିବାକୁ ୮ ତାରିଖ ଯାଏ ସଟଡାଉନ୍ ଘୋଷଣା ହୋଇଛି । କଂଟେନମେଂଟ୍ ଜୋନ କରାଯାଇ ଟ୍ରେସିଂ ଜାରି ରହିଛି । ଏହାରି ଭିତରେ ରୋଗୀଙ୍କୁ ୪ଟି ହସପିଟାଲ ନଯିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲ, ଏସସିବି ବଡ ମେଡିକାଲ, ଶିଶୁ ଭବନ ଏବଂ ସିଟି ହସ୍ପିଟାଲ ଯିବାକୁ ମନା କରାଯାଇଛି । କଟକ ଶିଶୁଭବନରୁ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ଆଉଟଡୋରକୁ ବନ୍ଦ ରଖାଯାଇଥିଲା । ପରେ ବିଶୋଧନ କରାଯାଇ ଶିଶୁଭବନ ଖୋଲିଛି ।

ଜୁଲାଇରେ ହେବନି ବିଧାନସଭା କମିଟି ବୈଠକ । ବାତିଲ କଲେ ବାଚସ୍ପତି । କରୋନା ପାଇଁ ବାତିଲ ହୋଇଛି ବିଧାନସଭାର ସମସ୍ତ କମିଟି ବୈଠକ । ଜୁଲାଇରେ ହେବାକୁ ଥିବା ବିଭିନ୍ନ କମିଟିର ବୈଠକକୁ ବାତିଲ କରାଯାଇଛି । ଲୋକସଭା ବାଚସ୍ପତି ଓ ରାଜ୍ୟ ସଭା ଉପାଧ୍ୟକ୍ଷଙ୍କ ସହ ଆଲୋଚନା କରି ରାଜ୍ୟସରକାର ପରବର୍ତୀ ନିଷ୍ପତି ନେବେ ବୋଲି କହିଛନ୍ତି ବାଚସ୍ପତି ।

ରାଉରକେଲା ଆସିଲେ ସଂଗରୋଧ ବାଧ୍ୟତାମୂଳକ । ପୋଲସରା ଓ ଗୁଣପୁରରେ ପଂଚାୟତ ସଟଡାଉନ୍ । ସେପଟେ କରୋନା ପ୍ରଭାବିତ ଜିଲ୍ଲାରୁ ରାଉରକେଲାକୁ ଆସିଲେ ୧୪ ଦିନ ପାଇଁ ସଂଗରୋଧ ବାଧ୍ୟତାମୂଳକ କରାଯାଇଛି । ବୁର୍ଲାରେ କରୋନା ସ୍ଥିତିକୁ ଦେଖି ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ୭ ଦିନ ପାଇଁ ବନ୍ଦ ରଖାଯାଇଛି । ସଂକ୍ରମଣ ବଢୁଥିବାରୁ ଗଂଜାମର ପୋଲସରା ବ୍ଲକ ମଥୁରା ପଂଚାୟତକୁ ୧ ସପ୍ତାହ ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଂଚ । ସୋମବାର ରାତି ୧୦ଟାରୁ ଜୁଲାଇ ୧୩ ତାରିଖ ଯାଏଁ ସଟଡାଉନ୍ ଜାରି ରହିବ । ସେହିପରି ଗୁଣପୁର ରାମନାଗୁଡା ବ୍ଲକ ପାରିଖିଟି ପଂଚାୟତକୁ ୪ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି ।

ତେବେ ନଜର ପକାନ୍ତୁ ଜୁଲାଇ ମାସ ୩ ତାରିଖରୁ ୬ ତାରିଖ ଯାଏଁ କେତେ ହୋଇଛନ୍ତି ଆକ୍ରାନ୍ତ ।

ତାରିଖ ଆକ୍ରାନ୍ତ

ଜୁଲାଇ ୩ ୫୬୧

ଜୁଲାଇ ୪ ୪୯୫

ଜୁଲାଇ ୫ ୪୬୯

ଜୁଲାଇ ୬ ୪୫୬