କରୋନା: କେମିତି କମିଲା ବାଲେଶ୍ୱରରେ ? ପ୍ରଥମେ ପାଲଟିଥିଲା ଓଡିଶାର ହଟସ୍ପଟ୍ । ପରେ ନିୟନ୍ତ୍ରଣକୁ ଆସିଲା ସଂକ୍ରମଣ । ଲକଡାଉନ-ସଟଡାଉନ ନ କରି କେମିତି ବାଲେଶ୍ୱର ପାଇଲା ସଂକ୍ରମଣରୁ ସଫଳତା ? କରୋନର ବାଲେଶ୍ୱର ମଡେଲକୁ ନେଇ ଏବେ ଚର୍ଚ୍ଚା

1,829

କନକ ବ୍ୟୁରୋ: ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ଏବେ ଚର୍ଚ୍ଚାରେ ବାଲେଶ୍ୱର ମଡେଲ । ବାଲେଶ୍ୱରରେ ଏମିତି କଣ ହେଲା ଯେ ହୁ ହୁ ହୋଇ ବଢୁଥିବା ସଂକ୍ରମଣ କମିବାକୁ ଲାଗିଲା । ଏପ୍ରିଲ ୧୮ରୁ ଆରମ୍ଭ ହୋଇଥିବା ସଂକ୍ରମଣ ଧୀରେ ଧୀରେ ବଢିଥିଲା । କିନ୍ତୁ ଗତ କିଛି ଦିନ ମଧ୍ୟରେ ଏହା କମିବା ଆରମ୍ଭ ହୋଇଯାଇଛି । ବାଲେଶ୍ୱରରେ କେମିତି କମିଲା ସଂକ୍ରମଣ ସେନେଇ ସବୁଠି ଚର୍ଚ୍ଚା ।

ରାଜ୍ୟରେ ୨୮,୧୦୭ ଜଣ ସଂକ୍ରିତ ହୋଇଥିବା ବେଳେ ବାଲେଶ୍ୱରରେ ସଂକ୍ରମିତ ହୋଇଛନ୍ତି ୮୮୫ଜଣ । ରାଜ୍ୟରେ ୧୦୫୪୪ଟି ସକ୍ରିୟ ମାମଲା ରହିଥିବା ବେଳେ ବାଲେଶ୍ୱରରେ ୨୨୫ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ ୧୫୪ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରେ ୫ ଜଣଙ୍କ ମୃତ୍ୟୁ ହୋଇଛି ।

ଏପ୍ରିଲ ୧୮ ତାରିଖ । ବାଲେଶ୍ୱରରୁ ଆସିଲା ୬୧ ନମ୍ବର ସଂକ୍ରମଣ । ବାଲେଶ୍ୱର ନେଳିଆବାଗ ଅଂଚଳର ଜଣେ ବ୍ୟକ୍ତି ରାଂଚିରୁ ଚିକିତ୍ସା କରି ଫେରିବା ପରେ ଜଣାପଡିଥିଲା ସେ କରୋନା ପଜିଟିଭ । ସେହିଦିନ ଠାରୁ ବାଲେଶ୍ୱରରେ କୋଲକାତା ଫେରନ୍ତାଙ୍କ ସଂଖ୍ୟା ବଢିଲା ଏବଂ ସଂକ୍ରମଣ ହାର ବଢି ବଢି ଚାଲିଲା । ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଗଲା ବାଲେଶ୍ୱର । ସବୁ ଗଣମାଧ୍ୟମରେ ବାଲେଶ୍ୱର କରୋନା ଖବର ଶିରୋନାମା ବନିଲା

ଆଉ ଇଏ ହେଉଛି ଗତ ୪ଦିନ ମଧ୍ୟରେ ବାଲେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ।
ଜୁଲାଇ ୨୫- ରାଜ୍ୟରେ ୧୩୨୦ ସଂକ୍ରମିତ, ବାଲେଶ୍ୱରରେ ୨୩ ଜଣ ସଂକ୍ରମିତ
ଜୁଲାଇ ୨୬-ରାଜ୍ୟରେ ୧୩୭୬ ସଂକ୍ରମିତ, ବାଲେଶ୍ୱରରେ ୨୯ ଜଣ ସଂକ୍ରମିତ
ଜୁଲାଇ ୨୭-ରାଜ୍ୟରେ ୧୫୦୩ ସଂକ୍ରମିତ, ବାଲେଶ୍ୱରରେ ୧୯ ଜଣ ସଂକ୍ରମିତ
ଜୁଲାଇ ୨୮- ରାଜ୍ୟରେ ୧୨୧୫ ସଂକ୍ରମିତ, ବାଲେଶ୍ୱରରେ ୨୯ଜଣ ସଂକ୍ରମିତ

ତେବେ ହଠାତ ହୁ ହୁ ହୋଇ ବଢୁଥିବା ସଂକ୍ରମଣ କେମିତି କମିଲା ବାଲେଶ୍ୱରରେ । ନଜର ପକାନ୍ତୁ ବାଲେଶ୍ୱର ପ୍ରଶାସନ କେମିତି ଲକଡାଉନ ଓ ସଟଡାଉନ ନକରି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଚାଲିଲା ।

-ସଂକ୍ରମିତଙ୍କୁ ଯେତେଶୀଘ୍ର ହେବ ଚିହ୍ନଟ କରିବାକୁ ଚେଷ୍ଟା କରାଗଲା
-ଆକ୍ରାନ୍ତ କାହା ସଂସ୍ପର୍ଶରେ ଆସିଥିଲା ସେମାନଙ୍କୁ ଚିହ୍ନଟ କରାଗଲା
-ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଂଗରୋଧରେ କଡାକଡି ଭାବେ ରଖାଗଲା
-ସଂଗରୋଧରେ ରହୁଥିବା ଲୋକଙ୍କ ଉପରେ କଡା ନଜର ରଖାଗଲା
-ୱାର୍ଡ କମିଟିକୁ ସକ୍ରିୟ କରାଗଲା
-କରୋନା ପରୀକ୍ଷଣ ମଧ୍ୟ ବଢାଇଲା ପ୍ରଶାସନ
-ନିତିଦିନ ମିଳିତ ନିରିକ୍ଷଣ କରାଗଲା
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାଲେଶ୍ୱର ଟାଉନରେ କେବଳ ଏପ୍ରିଲ ୨୫ ଏବଂ ୨୬ ତାରିଖରେ ୭୨ ଘଂଟିଆ ସଟଡାଉନ ହୋଇଥିଲା । ଜୁଲାଇ ମାସରେ କେବଳ ଶନିବାର ଏବଂ ରବିବାର ସଟଡାଉନ ପ୍ରକ୍ରିୟା ଜାରି ରହିଛି । ଜଳେଶ୍ୱରରେ ଜୁଲାଇ ମାସରେ ୨ଦିନ ପାଇଁ ସଟଡାଉନ ହୋଇଥିଲା । ନେଳିଆବାଗ ଅଂଚଳରୁ ୧୪ ପଜିଟିଭ ଚିହ୍ନଟ ହେବା ପରେ ଏହାକୁ କନଟେଂଟମେଂଟ ଜୋନ ଘୋଷଣା କରାଯାଇଥିଲା । ଅର୍ଥାତ ଜିଲ୍ଲାରେ ବାରମ୍ବାର ତାଲାବନ୍ଦ ପରି ପଦକ୍ଷେପ ନିଆଯାଇନଥିଲା । ତଥାପି କରୋନା ସଂକ୍ରମଣ ରୋକିବାରେ ବାଲେଶ୍ୱର କେମିତି ସଫଳ ହେଲା ତାହା ଚାରିଆଡେ ଆଲୋଚନାର ବିଷୟ ପାଲଟିଛି ।