ବିଲରେ ସଢୁଛି ଚାଷୀର ସ୍ୱପ୍ନ । ମାଲକାନଗିରିରେ ଏକର ଏକର ଜମିରେ ସଢୁଛି ପୋଟଳ, କାମାକ୍ଷାନଗରରେ ନଷ୍ଟ ହୋଇଗଲା ବହୁ ପରିମାଣର ପରିବା । କେମିତି ଚଳିବେ ଚିନ୍ତାରେ ଚାଷୀ…

517

କନକ ବ୍ୟୁରୋ: କରୋନା କଟକଣା ଚାଷୀଙ୍କ ପାଇଁ ଆଣିଛି କଷ୍ଟ । ଜମିରେ ଅମଳ ହେଉଛି ପନିପରିବା କିନ୍ତୁ କିଣିବାକୁ ଗରାଖ ନାହାନ୍ତି । ଫଳରେ ନଷ୍ଟ ହେଉଛି ଫସଲ । ଫୁଲ କୋବି, ଟମାଟୋ ପରେ ଏବେ ପୋଟଳର ଅଭାବୀ ବିକ୍ରୀ । ବିଲରେ ହିଁ ପଚି ସଢି ନଷ୍ଟ ହେଉଛି ଚାଷୀଙ୍କ ପୋଟଳ ।

ସବୁଠାରୁ ବୋଝ ଉପରେ ନଳିତା ବିଡ଼ା ଭଳି ଉଚିତ ମୂଲ୍ୟ ମିଳୁନାହିଁ କିମ୍ବା ପରିବା କିଣିବା ଲାଗି ବ୍ୟବସାୟୀ ମଧ୍ୟ ଆସୁନାହାନ୍ତି । କାଁ ଭାଁ କିଛି ବ୍ୟବସାୟୀ ଆସୁଛନ୍ତି । ତେବେ ଦର କିନ୍ତୁ ୧୦ରୁ ୧୨ ଟଙ୍କାରୁ ଅଧିକରେ ବିକ୍ରୀ ହୋଇପାରୁନାହ ିଁ । ଫଳରେ ରାସ୍ତାରେ ପାଚିଲା ପୋଟଳ ଫିଙ୍ଗି ପ୍ରତିବାଦ କରୁଛନ୍ତି ଚାଷୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ତାର୍ଲାକଟା ଅଂଚଳରେ । ଏକର ଏକର ଜମିରେ ପୋଟଳ ଚାଷ ହୋଇଛି, କିନ୍ତୁ ସେ ସବୁ ଜମି ମୁଣ୍ଡରେ ହିଁ ନଷ୍ଟ ହେଉଛି । ଫଳରେ କରୋନା କଟକଣା ଆଣିଦେଇଛି ଦୁଃଖ ।

ସେପଟେ କାମାକ୍ଷା ନଗରରେ ବି ସମାନ ଅବସ୍ଥା । ଦିନରାତି ପରିଶ୍ରମ କରି ଭଲ ଦି ପଇସା ରୋଜଗାର କରିବା ଆଶା ରଖିଥିବା ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ । କରୋନା କଟକଣା ଯୋଗୁଁ ଅମଳ ପନିପରିବାକୁ ବିକ୍ରି କରି ପାରୁନାହାନ୍ତି କାମାକ୍ଷାନଗର ଅଂଚଳର ଚାଷୀ । ଫଳରେ ଜମିରେ ପଡି ରହି ନଷ୍ଟ ହେଉଛି ଭଳିକି ଭଳି ପରିବା । ଅନ୍ୟପଟେ ଧାର ଉଧାର କରି ଚାଷ କରିଥିବା ବେଳେ ଏବେ ମୂଳ ଆଦାୟ ହେବା ନେଇ ମଧ୍ୟ ଚିନ୍ତା ଘାରିଲାଣି । ଚାଷ ଓ ଚାଷୀଙ୍କ ସମସ୍ୟା ଏହି କରୋନା କଟକଣା ସମୟରେ ଅସହ୍ୟ ହୋଇ ପଡୁଛି ବୋଲି ଅଭିଯୋଗ କରୁଛନ୍ତି ଚାଷୀ ।