ଖାଁ ଖାଁ ଶ୍ରୀମନ୍ଦିର, ଏକା ବସିଛନ୍ତି ମହାବାହୁ । ତାଲାବନ୍ଦ ଯୋଗୁଁ ଲାଗୁନି ଭକ୍ତଙ୍କ ଗହଳି ଚହଳି, ଶ୍ରୀହୀନ ଲାଗୁଛି ଶ୍ରୀକ୍ଷେତ୍ର…

539

କନକ ବ୍ୟୁରୋ: ପରମ୍ପରା ଆଧାରରେ ନୀତିକାନ୍ତି ଚାଳିଛି । ବିଧି ମୁତାବକ ବଡ ଦେଉଳରେ ଚାଲିଛି ବଡ ଦିଅଁଙ୍କ ପୂଜାର୍ଚ୍ଚନା । ପ୍ରତିଦିନ ମହାପ୍ରଭୁ ଭିନ୍ନ ଭିନ୍ନ ବେଶରେ ବିଭୂଷିତ ହେଉଛନ୍ତି । ହେଲେ କାଳିଆର ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଲାଗୁନି ଭକ୍ତଙ୍କ ଭିଡ, କି ଆନନ୍ଦ ବଜାରରେ ଶୁଭୁନି ଗହଳ ଚହଳ । ଖାଁ ଖାଁ ବଡଦାଣ୍ଡରେ ମୁଣ୍ଡିଆ ମାରି ମହାମାରୀ କବଳରୁ ଜଗତକୁ ରକ୍ଷା କରିବା ପାଇଁ ଗୁହାରୀ କରୁଥି ଭକ୍ତ ।

ଭକ୍ତ ଓ ଭଗବାନଙ୍କ ମଝିରେ ପାଚେରୀ ହୋଇ ଠିଆ ହୋଇଛି କରୋନା । ଭୂତାଣୁ ଭୟରେ ତାଲା ବନ୍ଦ ପରଠୁ ଖାଁ ଖାଁ ସାରା ଶ୍ରୀମନ୍ଦିର, ନିଶବ୍ଦ ସିଂହ ଦ୍ୱାର । ବାଇଶି ପାହାଚ ଠାରୁ ଶ୍ରୀମନ୍ଦିର ପାଟ ଅଗଣା, ପୁଣି ନାଟ ମଣ୍ଡପରୁ ଜଗମୋହନ, ସବୁଠି ଅସମ୍ଭବ ନିରବତା । ବଡଦାଣ୍ଡରେ କାଁ ଭାଁ କିଛି ଭକ୍ତ ଚଳାଚଳ କରୁଥିବା ବେଳେ ଗହଳ ଚହଳରେ ଫାଟିପଡୁଥିବା ଆନନ୍ଦ ବଜାରରେ ଶୂନ୍ୟତା ହିଁ ଶୂନ୍ୟତା ।

ନୀତି ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ନୀତିକାନ୍ତି ଚାଲିଛି । ସେବାୟତମାନେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ସେବା କରୁଛନ୍ତି, ହେଲେ ଇଚ୍ଛାମୟଙ୍କ ମନରେ ସରାଗ ନାହିଁ । ସେବାୟତଙ୍କ କହିବା ଅନୁସାରେ, ଭକ୍ତ ବିନା ବିରହରେ ମହାପ୍ରଭୁ । ସେପଟେ ଭୂତାଣୁ ଭୟରେ ଭଗବାନଙ୍କ ଦର୍ଶନରୁ ବଂଚିତ ବ୍ୟାକୁଳ ଭକ୍ତ ବଡଦାଣ୍ଡରୁ ମୁଣ୍ଡିଆ ମାରି ମହାମାରୀ କରୋନା କବଳରୁ ବିଶ୍ୱକୁ ଉଦ୍ଧାର କରିବା ପାଇଁ ଗୁହାରୀ କରିଛି ।

କେବେ ଭୂତାଣୁ ଭୟ ଦୂରେଇବ ? ତାଲା ବନ୍ଦ କଟକଣା ହଟିବ, ଆଉ ଭକ୍ତ ଭଗବାନଙ୍କର ପୁଣି କେବେ ଭେଟ ହେବ ? ଏନେଇ ସବୁ ଜଗନ୍ନାଥ ପ୍ରେମୀଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ହେଲେ କରୋନା ଭୂତାଣୁ ଠାରୁ ମାନବ ସମାଜକୁ ସୁରକ୍ଷିତ ପାଇଁ ତାଲା ବାନ୍ଦକୁ ମାନିବାକୁ ପଡିବ, ଏକଥାକୁ ବୁଝିଛନ୍ତି କାଳିଆ ଭକ୍ତ ।