ସମୁଦ୍ର ଭିତରେ କରୋନାର କରୁଣ କାହାଣୀ । ଚେନ୍ନାଇରୁ ଦେଢ ଲକ୍ଷ ଟଙ୍କା ଦେଇ ଡଙ୍ଗା କିଣିଲେ, ୫ ଦିନ ୧୧ଶହ କିଲୋମିଟର ଜଳଯାତ୍ରା କଲେ ମତ୍ସ୍ୟଜୀବୀ, ଇଚ୍ଛାପୁରମ ସମୁଦ୍ରରେ ପହଁଚିଲେ ୨୭ଜଣ । ଗଞ୍ଜାମର ୯ ଧୀବରଙ୍କୁ ସଙ୍ଗରୋଧରେ ରଖିଲା ଆନ୍ଧ୍ର ପୁଲିସ ।

1,691

କନକ ବ୍ୟୁରୋ: ତାଲାବନ୍ଦ ଯୋଗୁଁ ଓଡିଶା ବାହାରେ ଫଶି ରହିଥିବା ଓଡିଆ ଘରକୁ ଫେରିବାର ଉପାୟ ନ ପାଇ ଶେଷରେ ଭିନ୍ନ ପନ୍ଥା ଆପଣେଇଛନ୍ତି । ଚାନ୍ଦାକରି ଡଙ୍ଗା କିଣିଛନ୍ତି ଏବଂ ସେହି ଡଙ୍ଗାରେ ଘରକୁ ଫେରିଛନ୍ତି । ମୋଟ ୨୭ଜଣ ମତ୍ସ୍ୟଜୀବୀ ଏହିପରି ବିପଦପୂର୍ଣ୍ଣ ଭାବେ ସମୁଦ୍ରପଥରେ ଫେରିବାକୁ ବାଧ୍ୟ ହୋଇଛନ୍ତି । ପଢ଼ନ୍ତୁ କେମିତିଥିଲା ଏହି ବିପଦପୂର୍ଣ୍ଣ ଯାତ୍ରା ଏବଂ କଣ ଥିଲା ପୁରା କାହାଣୀ ।

ସୋମବାର ସକାଳୁ ଓଡିଶା-ଆନ୍ଧ୍ର ସୀମାନ୍ତ ଇଚ୍ଛାପୁରମ ନିକଟ ଡୋଙ୍କୁରୀ ଗାଁରେ ଲାଗିଥିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା । ତାମିଲନାଡୁ ଚେନ୍ନାଇରୁ ୨୭ ଜଣ ଶ୍ରମିକ ଏହି ଡଙ୍ଗାରେ ଆସି ପହଂଚିବା ଖବର ପାଇ ପୋଲିସ ସେମାନଙ୍କୁ ହେପାଜତକୁ ନେଇଛି । ସମସ୍ତଙ୍କୁ ଡୋଙ୍କୁରୀ ଗାଁରେ ଥିବା ଏକ ମଡେଲ ସ୍କୁଲରେ ରଖାଯାଇଥିବା ସୂଚନା ମିଳିଛି । ତେବେ ଚେନ୍ନାଇରୁ ସମୁଦ୍ର ପଥରେ ଏମାନଙ୍କ ଜଳ ଯାତ୍ରା ଥିଲା ବେଶ ରୋମାଂଚକର । କରୋନା ମୁକାବିଲା ପାଇଁ ସରକାରଙ୍କ ତାଲାବନ୍ଦ କଟକଣା ଫଳରେ ସଡକ ପଥରେ ଫେରିବା ସମ୍ଭବ ନଥିଲା । ଆଉ ସେଥିପାଇଁ ଗତ ୧୫ ତାରିଖରେ ଏମାନେ ଏକ ଡଙ୍ଗାରେ ସବାର ହୋଇ ସମୁଦ୍ରରେ ବାହାରି ପଡିଥିଲେ । ଜଳ ପଥରେ ୫ ଦିନ ଧରି ପ୍ରାୟ ୧୧ ଶହ କିଲୋମିଟରରୁ ଅଧିକ ଯାତ୍ରା କରିବା ପରେ ଆନ୍ଧ୍ର-ଓଡିଶା ସୀମାନ୍ତ ଇଚ୍ଛାପୁରମ ନିକଟ ଡୋଙ୍କୁରୀ ଗାଁରେ ୨୦ ତାରିଖରେ ପହଂଚିଛନ୍ତି ।

ପୁରା କାହାଣୀ ଥିଲା କିଛି ଏହିପରି –
– ଆନ୍ଧ୍ରପ୍ରଦେଶ ଡୋଙ୍କୁରୀ ଗାଁର ୧୭ ଜଣ, ଗଞ୍ଜାମ ଚିକିଟି ବ୍ଲକ ପାଟସୋନପୁର ଗାଁର ୯ଜଣ ଓ ପୁରୀ ଜିଲ୍ଲା ଅରକୁଦା ଗାଁର ଜଣେ, ମୋଟ୍ ୨୭ ଜଣ ଶ୍ରମିକ ଏକ ଡଙ୍ଗା କିଣିଥିଲେ
– ୧ ଲକ୍ଷ ୭୩ ହଜାର ଟଙ୍କା ଦେଇ ଏକ ହୁଲି ଡଙ୍ଗା କିଣିଥିଲେ, ଯାହାକୁ ସ୍ଥାନୀୟ ଭାଷାରେ ଅଡି ବୋଲି କୁହାଯାଉଛି
– ସମୁଦ୍ରରେ ଡଙ୍ଗା ଧରି ବାହାରିଲା ବେଳେ ୩୫୦ ଲିଟର ଡିଜେଲ, ୨୫ ବ୍ୟାରେଲ ପିଇବା ପାଣି ଓ କିଛି ଖାଦ୍ୟ ସାମଗ୍ରୀ ଧରି ବାହାରିଥିଲେ
– ପାରମ୍ପାରିକ ଭାବେ ପାଲ ଟାଣି କିଛି ବାଟ ଦକ୍ଷିଣୀ ପବନ ସହାୟତାରେ ଡଙ୍ଗା ବାହି ଏମାନେ ଇଚ୍ଛାପୁରମ ସମୁଦ୍ରରେ ପହଂଚିଥିଲେ

ଜିଲ୍ଲା ମତ୍ସ୍ୟଜୀବୀ ସଂଘର ସଭାପତିଙ୍କ କହିବା କଥା ଯେ, ମାଛ ମାରିବା ପାଇଁ ଯାଉଥିବା ଡଙ୍ଗାଗୁଡିକରେ ଏହିଭଳି ଶ୍ରମିକଙ୍କୁ ଚେନ୍ନାଇ ଯାଇଥାନ୍ତି । ସମୁଦ୍ର ଭିତରେ ୧୦ରୁ ୧୨ ଦିନ ଯାଏଁ ରହିବା ଲାଗି ଏମାନଙ୍କର ଅଭ୍ୟାସ ରହିଛି । ଏବେ ବି ସ୍ଥାନୀୟ ଅଂଚଳର ୬୦ରୁ ୭୦ ଜଣ ଶ୍ରମିକ ଚେନ୍ନାଇରେ ଥିବା ସେ ସୂଚନା ଦେଇଛନ୍ତି । ତେବେ ସରକାରଙ୍କ ତାଲାବନ୍ଦ କଟକଣାକୁ ଉଲ୍ଲଂଘନ କରି ଏହିଭଳି ବିପଦପୂର୍ଣ୍ଣ ଜଳ ଯାତ୍ରାରେ ଆସିଥିବା ଶ୍ରମିକଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି ।