କଟକରେ କମିଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା । ମୁନସିପାଲଟି ଓ ଗ୍ରାମାଞ୍ଚଳରେ କମିଛି ସଂକ୍ରମଣ । ଘରକୁ ଘର କରାଯାଉଛି ସର୍ଭେ, ଲକ୍ଷଣ ଥିଲେ ବି ହେଉଛି ପରୀକ୍ଷା ।

645

କନକ ବ୍ୟୁରୋ: କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି । ଗ୍ରାମାଂଚଳ ଓ ସିଏମସି ଅଂଚଳ ପକ୍ଷରୁ ଘରକୁ ଘର ଯାଂଚ କରାଯାଉଛି । କିଛି ଲକ୍ଷଣ ଦେଖା ଯାଉଥିବା ବ୍ୟକ୍ତିଙ୍କ ପରୀକ୍ଷା କରାଯାଉଛି । ତାଲାବନ୍ଦ ବେଳେ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା ଚାଳିଛି । ଆଂଟିଜେନ ଟେଷ୍ଟ ମଧ୍ୟ ଆରମ୍ଭ ହୋଇ ଯାଇଛି । ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରିବାରେ ଆଂଟିଜେନ ଟେଷ୍ଟ ସହାୟକ ହେଉଥିବା କହିଛନ୍ତି ରାଜ୍ୟ ସରକାର ।

ଏହାଛଡା ବାହାରକୁ ଗଲେ ନିଶ୍ଚିତ ଭାବେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ଗତ ସପ୍ତାହ ତୁଳନାରେ କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି । ଏସସିବିରେ ଅଧିକ ଅସ୍ଥାୟୀ ଓପିଡ଼ି ପାଇଁ ଯୋଜନା କରାଯାଉଛି । ଲକ୍ଷଣ ଥିବା ବ୍ୟକ୍ତିଙ୍କ କୋଭିଡ଼ ପରୀକ୍ଷା କରାଯାଉଛି । କଟକରେ ଆଗକୁ ୩ଟି କୋଭିଡ କେୟାର ସେଂଟର ଖୋଲାଯିବ । ଗୋପାଳପୁର , ବିଦ୍ୟାଧରପୁର ସହ ଓଏଟି କାର୍ଯ୍ୟାଳୟରେ କୋଭିଡ କେୟାର ସେଂଟର ଖୋଲାଯିବ । ଯେଉଁଥିରେ ଲକ୍ଷଣ ନଥିବା କରୋନା ରୋଗୀ ଅଥଚ ଅନ୍ୟ ରୋଗରେ ଆକ୍ରାନ୍ତ ନଥିବା ଲୋ ରିସ୍କ ରୋଗୀଙ୍କୁ ଭର୍ତି କରାଯିବ । ଯାହା ଫଳରେ କୋଭିଡ ହସ୍ପିଟାଲ ଉପରେ କରୋନା ଚିକିତ୍ସା ଚାପ କମିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି ।

ସେପଟେ ଆଜି କଟକ ମହାନଗର ନିଗମ ଅଂଚଳରେ ଆଉ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ୱାରେନଟିନରୁ ୧୪ ଓ ଲୋକାଲ କଂଟାକ୍ଟରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ସିଏମସି ଅଂଚଳରେ ମୋଟ ୩୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୪୩, ସୁସ୍ଥ ହୋଇଛନ୍ତି ୨ ଶହ ଆକ୍ରାନ୍ତ ।