ମହାମାରୀ ମୁକାବିଲା ବେଳେ ଯୋଦ୍ଧାଙ୍କ ମୃତ୍ୟୁ ହେଲେ ମିଳିବ ସହାୟତା । ଅବସର ଯାଏଁ ଯେଉଁ ଟଙ୍କା ମିଳିବା କଥା ସେସବୁ ପୂର୍ବପରି ଦିଆଯିବ । ଶେଷକୃତ୍ୟ ପାଇଁ ପ୍ରଦାନ କରାଯିବ ୭୫୦୦ ଟଙ୍କା

1,728

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କ ପାଇଁ ବଡ ଘୋଷଣା । ମହାମାରୀ ମୁକାବିଲା ବେଳେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ସମସ୍ତ ସହାୟତା ଦେବେ ସରକାର । କରୋନା ସହ ଲଢେଇ ବେଳେ ଯଦି କାହାରି ବି ବିୟୋଗ ହୁଏ ତେବେ ତାଙ୍କର ସବୁ ଟଙ୍କା ସରକାର ବହନ କରିବେ । ଅବସର ଯାଏଁ ଯେଉଁ ଟଙ୍କା ମିଳିବା କଥା ସେସବୁ ଟଙ୍କା ସେମାନଙ୍କୁ ପୂର୍ବପରି ଦିଆଯିବ । ଶେଷକୃତ୍ୟ ପାଇଁ ୭୫୦୦ ଟଙ୍କା ସରକାର ପ୍ରଦାନ କରିବେ । ବଡ କଥା ହେଉଛି ରାଜ୍ୟରେ ମୋଟ ୮ ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲାଣି ।

ସେପଟେ ବିଭିନ୍ନ କ୍ଷେତ୍ରରେ ସରକାର ସହାୟତା ପ୍ରଦାନ କରୁଛନ୍ତି । ବିଦେଶ ଫେରନ୍ତା କିମ୍ବା ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ ସରିଲା ପରେ ଟଙ୍କା ଦିଆଯାଇଛି । ଆଶା ଅଙ୍ଗନବାଡି କର୍ମୀମାନେ ପ୍ରବଳ ପରିଶ୍ରମ କରୁଥିବାରୁ ସେମାନଙ୍କୁ ଆଗାମୀ ୮ ମାସ ପାଇଁ ହଜାରେ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦିଆଯାଉଛି । କରୋନା ମୁକାବିଲା ପାଇଁ ମୋଟ ଖର୍ଚ୍ଚ ହେଲାଣି ୧୯୦୦ କୋଟି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୩୪୦ କୋଟି, ଏସଡିଆରଏଫରୁ ୬୨୪ କୋଟି, ପଞ୍ଚାୟତିରାଜ ବିଭାଗରୁ ୮୭୫ କୋଟି, ବିଧାୟକଙ୍କ ହାତପାଣ୍ଠି ୭୩ କୋଟି ଖର୍ଚ୍ଚ ହେଲାଣି ।

ସେପଟେ କରୋନା କାଳରେ ରାଜ୍ୟ ସରକାରଙ୍କୁ ଘାରିଲା ଟଙ୍କା ଚିନ୍ତା । ୨୦୨୦-୨୧ ଆର୍ଥିକବର୍ଷ ପାଇଁ ହୋଇଥିବା ବ୍ୟୟବରାଦ ଉପରେ ପୁଣି ଥରେ ଅନୁଧ୍ୟାନ କରିବେ ରାଜ୍ୟ ସରକାର । ବଜାରରୁ ଋଣ ଆଣି ଭରଣା କରାଯିବ ନିଅଣ୍ଟିଆ ସ୍ଥିତି । ମହାମାରୀ ମୁକାବିଲା କ୍ଷେତ୍ରରେ ହେଉଥିବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ମନ୍ତ୍ରୀ ପରିଷଦ ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।

ମହାମାରୀ ମୁକାବିଲା ଖର୍ଚ୍ଚକୁ ଦୃଷ୍ଟିରେ ରଖି କାମ୍ପା ଓ ଓମବାଡସି ଜରିଆରେ ଋଣ ଆଣିବାର ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୧ ହଜାରେ କୋଟି ଟଙ୍କାର ଋଣ ଅଣାସରିଲାଣି । ସେହିପରି ବିଭିନ୍ନ ବିଭାଗର ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ସହ ବିଭିନ୍ନ କ୍ଷେତ୍ରରେ ପଡ଼ି ରହିଥିବା ଟଙ୍କାକୁ ବିନିଯୋଗ କରିବାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।