କରୋନା ଯୁଦ୍ଧର ଅସଲି ଯୋଦ୍ଧା ଯୁବ ପୁଲିସ ଅଫିସର: କର୍ତ୍ତବ୍ୟ ପାଇଁ ବିବାହ ସ୍ଥଗିତ ରଖିଲେ ଫୁଲବାଣୀ ଏସଡିପିଓ

249

କନକ ବ୍ୟୁରୋ: କର୍ତ୍ତବ୍ୟ ଆଗରେ ଘର ସଂସାର ତୁଛ। ଆଗେ କର୍ତ୍ତବ୍ୟ ତାପରେ ପରିବାର ଓ ଆଉ ଘର ସଂସାର । ଏଭଳି କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି କନ୍ଧମାଳରେ କାର୍ଯ୍ୟରତ ଓପିଏସ ଯୁବ ପୁଲିସ ଅଫିସର ତଥା ଫୁଲବାଣୀର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ। ତାଙ୍କ ଘର ମୟୁରଭଞ୍ଜ। ସାହିତ୍ୟ ଓ କଳାକୁ ଭଲ ପାଉଥିବା ମହେନ୍ଦ୍ରନାଥ ଅଧ୍ୟାପନା କ୍ଷେତ୍ରରେ ଯିବାକୁ ଇଛା ରଖିଥିଲେ। ହେଲେ ପ୍ରଥମେ ସେ ଓଡିଶା ରାଜସ୍ୱ ସର୍ଭିସ ପରେ ଓପିଏସ ପାଇ ଥିଲେ। କନ୍ଧମାଳ ଜିଲ୍ଲାରେ ତାଙ୍କର ପ୍ରଥମ ପୋଷ୍ଟିଂ ପୁଣି ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ଭାବେ। ସେ ଏଠାରେ ଯୋଗଦାନ ପରେ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ଠିକ ଭାବେ ନିର୍ବାହ କରି ସମସ୍ତଙ୍କ ପାଖରେ ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସଂପ୍ରତି କରୋନା ମୁକାବିଲାରେ ତାଙ୍କର ଭୂମିକା ବେଶ ପ୍ରଶଂସନୀୟ।

ଖାଇବା ଓ ଶୋଇବା ଭୁଲି ସକାଳୁ ରାତି ପର୍ଯ୍ୟନ୍ତ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ସେ ନିର୍ବାହ କରି ଆସୁଛନ୍ତି। ସେଥି ନିମନ୍ତେ ଜନତା ହୁଅନ୍ତୁ କି ବିଭାଗୀୟ ଉଚ୍ଚ ପଦସ୍ଥ କର୍ତ୍ତୃପକ୍ଷ। ଆଉ ତଳିଆ ପୁଲିସ କମର୍ଚାରୀ ବି ତାଙ୍କୁ ଭଲ ପାଇଥାନ୍ତି। କରୋନା ଯୁଦ୍ଧର ଅସଲି ଯୋଦ୍ଧା ସାଜିଥିବା ଫୁଲବାଣୀ ଏସଡିପିଓ ମହେନ୍ଦ୍ରନାଥ କେବେ ବି ନିଜର ବ୍ୟକ୍ତିଗତ ସମସ୍ୟା ଓ ପରିବାର କଥା କାହାକୁ କହି ନଥାନ୍ତି।  ତାଙ୍କର ଅପ୍ରେଲ ମାସରେ ବାହାଘର ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ଏଥି ନିମନ୍ତେ ତାଙ୍କର ଓ ଝିଅଘର ପରିବାର ପକ୍ଷରୁ ପ୍ରସ୍ଚୁତି ସରିଥିଲା ବେଲେ କେବଳ ନିମନ୍ତ୍ରଣ ପତ୍ର ବଣ୍ଟା ବାକି ଥିଲା। ହେଲେ କରୋନା ପାଇଁ ବାହାଘର ସ୍ଥଗିତ ରଖିଲେ ବୋଲି କହିଥିଲେ। ଆଗ କର୍ତ୍ତବ୍ୟ ତାପରେ ଘର ସଂସାର। ପ୍ରଥମେ କରୋନା ହାରୁ। ଓଡିଶା କରୋନାମୁକ୍ତ ହେଉ। ତାପରେ ବାହାଘର ହେବ ବୋଲି ସେ କହିଥିଲେ।

ସେପଟେ, ଫୁଲବାଣୀ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଜଣେ ଦାୟିତ୍ବବାନ ଯୁବ ଅଫିସର। ନିଜର କର୍ତ୍ତବ୍ୟ ଓ ଦାୟିତ୍ବ ପ୍ରତି ସେ ବେଶ ସଚେତନ। ବ୍ୟକ୍ତିଗତ ସମସ୍ୟା ଯାହା ଥାଉ ନାଁ କାହିଁକି ସେ କାହା ପାଖରେ ପ୍ରକାଶ କରିବାକୁ ଚାହାନ୍ତି ନାହିଁ। ସବୁଠାରୁ ବଡ କଥା ହେଲା କରୋନା ମୁକାବିଲାରେ ତାଙ୍କର ଭୁମିକା ବିଭାଗ ପାଇଁ ବଡ ଉଦାହରଣ ବୋଲି କନ୍ଧମାଳ ଏସପି ପ୍ରତୀକ ଗୀତା ସିଂ କହିଛନ୍ତି।